ଦେଶକୁ ମିଳିଲା ନୂଆ ରାଷ୍ଟ୍ରପତି : ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ହେଲେ ଦେଶର ୧୫ତମ ରାଷ୍ଟ୍ରପତି

ଦେଶକୁ ମିଳିଲା ନୂତନ ରାଷ୍ଟ୍ରପତି I ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ୩ୟ ପର୍ଯ୍ୟାୟ ଭୋଟ ଗଣତି ପରେ ମ୍ୟାଜିକ ନମ୍ୱର ହାସଲ କରିଛନ୍ତି ଦ୍ରୌପଦୀ ମୁର୍ମୁ I ତାଙ୍କର ସମୁଦାୟ ଭୋଟ ମୂଲ୍ୟ ୫, ୭୭, ୭୭୭ I ବିଜୟୀ ହେବା ପାଇଁ ୫,୪୩,୨୧୬ ଭୋଟର ଆବଶ୍ୟକ ଥିବା ବେଳେ ଦ୍ରୌପଦୀ ମୁର୍ମୁ ତୃତୀୟ ରାଉଣ୍ଡରେ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ଙ୍କୁ ପଛରେ ପକାଇ ଏହି ଐତିହାସିକ ବିଜୟ ଲାଭ କରିଛନ୍ତି ।

ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ପ୍ରାର୍ଥୀ ଘୋଷଣା କରିବା ପରେ ହିଁ ତାଙ୍କର ବିଜୟ ସମ୍ଭାବନା ଅଧିକ ରହିଛି ବୋଲି ଆକଳନ କରାଯାଉଥିଲା। ଫଳାଫଳ ଘୋଷଣା ପୂର୍ବରୁ ବିଜେପି ଶିବିରରେ ସେଲିବ୍ରେସନ୍ ଚାଲିଥିଲା । ସେହିପରି ତାଙ୍କ ଜନ୍ମମାଟି ରାଇରଙ୍ଗପୁରରେ ଗତକାଲି ଠାରୁ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚାଲିଥିଲା । ଦ୍ରୌପଦୀଙ୍କ ବିଜୟ ପରେ ଦିଲ୍ଲୀ ବିଜେପି ପକ୍ଷରୁ ଏକ ବିଶାଳ ରୋଡସୋ ପାଇଁ ଯୋଜନା ରହିଛି। ବିଜେପି ଜାତୀୟ ମୁଖ୍ୟାଳୟରୁ ରାଜପଥ ପର୍ଯ୍ୟନ୍ତ ହେବ ରୋଡ ସୋ। ବହୁ ବରିଷ୍ଠ ନେତା ଏଥିରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ସମସ୍ତ ରାଜ୍ୟର ବିଜେପି କାର୍ଯ୍ୟାଳୟରେ ମଧ୍ୟ ବିଜୟ ଉତ୍ସବ ପାଳନ କରାଯାଉଛି ।

ଜୁଲାଇ ୧୮ରେ ଶେଷ ହୋଇଥିବା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳେ ଆରମ୍ଭ ହୋଇଥିଲା । ସାଂସଦଙ୍କ ଭୋଟ ଗଣତି ଶେଷ ହେବା ପରେ ପ୍ରଥମ ରାଉଣ୍ଡ ପରିଣାମ ଘୋଷଣା କରାଯାଇଥିଲା । ମତଗଣନାର ପ୍ରଥମ ରାଉଣ୍ଡରେ ସାଂସଦଙ୍କ ଭୋଟ ଗଣତି ହୋଇଥିଲା । ଲୋକସଭା ଏବଂ ରାଜ୍ୟସଭାକୁ ମିଶାଇ ମୋଟ ୭୭୬ ଜଣ ସାଂସଦଙ୍କ ଭୋଟ ବୈଧ ଥିଲା । ତେବେ ୧୫ ଜଣଙ୍କ ଭୋଟ ନାକଚ ହୋଇଥିଲା ଏବଂ କିଛି ସାଂସଦ ଭୋଟ ଦେଇପାରି ନଥିଲେ । ମୋଟ ୭୪୮ ସାଂସଦଙ୍କ ୫,୨୩,୬୦୦ ମୂଲ୍ୟ ଥିବା ଭୋଟର ଗଣତି ହୋଇଥିଲା । ଏଥିରୁ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଭୋଟ ମିଳିଥିଲା ଯାହାର ମୂଲ୍ୟ ଥିଲା ୩,୭୮,୦୦୦ । ସେହିପରି ଯଶୱନ୍ତ ସିହ୍ନାଙ୍କୁ ୨୦୮ ଖଣ୍ଡ ଭୋଟ ମିଳିଥିଲା ଯାହାର ମୂଲ୍ୟ ଥିଲା ୧,୪୫,୬୦୦ । ଦ୍ରୌପଦୀ ମୁର୍ମୁଙ୍କ ୭୨ ପ୍ରତିଶତ ସାଂସଦଙ୍କ ସମର୍ଥନ ମିଳିଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମାତ୍ରା ୨୮ ପ୍ରତିଶତ ସାଂସଦ ଭୋଟ ଦେଇଛନ୍ତି।

ଦ୍ୱିତୀୟ ରାଉଣ୍ଡର ଗଣତିରେ ବି ଦ୍ରୌପଦୀଙ୍କୁ ପ୍ରଚଣ୍ଡ ଭୋଟ ମିଳିଥିଲା। ସାଂସଦଙ୍କ ଭୋଟ ଗଣତି ଶେଷ ହେବା ପରେ ନିର୍ବାଚନ ଆୟୋଗ ଆଲ୍ଫାବେଟିକ ଅର୍ଡରରେ ରାଜ୍ୟ ଗୁଡିକର ବିଧାନସଭାରେ ଦିଆଯାଇଥିବା ଭୋଟ ଗଣିଥିଲେ। ଏଥିରେ ଆନ୍ଧ୍ର ପ୍ରଦେଶରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଝାଡଖଣ୍ଡ ସାମିଲ ଥିଲେ। ଦ୍ୱିତୀୟ ରାଉଣ୍ଡରେ ମୋଟ ୧୧୩୮ ଭୋଟ ବୈଧ ରହିଥିଲା । ଯାହାର ମୂଲ୍ୟ ୧,୪୯,୫୭୫ । ଏଥିରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୮୦୯ ଖଣ୍ଡ ଭୋଟ ମିଳିଥିଲା ଯାହା ମୂଲ୍ୟ ଥିଲା ୧,୦୫,୨୯୯ । ସେହିପରି ଯଶୱନ୍ତ ସିହ୍ନାଙ୍କୁ ୩୨୯ ଖଣ୍ଡ ଭୋଟ ମିଳିଥିଲା । ଏହି ଭୋଟ ଗୁଡିକର ମୂଲ୍ୟ ୪୪,୨୭୬ ଥିଲା।