ରାଜ୍ୟରେ କଂଗ୍ରେସ ଦଳ ଶାସକ ବିଜେଡିର ‘ବି-ଟିମ୍‌’

ଭୁବନେଶ୍ୱର: ଆଜି ନିଜ ଦୋଷ ଓ ଦୁର୍ବଳତାକୁ ଦେଶବାସୀଙ୍କ ସମ୍ମୁଖରେ ଲୁଚାଇବା ପାଇଁ ଦେଶ ବିଭାଜନର ମୁଖ୍ୟ କାରଣ ସାଜିଥିବା କଂଗ୍ରେସ ଦଳର ବଂଶଜମାନେ ବର୍ତ୍ତମାନ ବିଭିନ୍ନ ଡ୍ରାମାବାଜି କରୁଛନ୍ତି । ଅତୀତର ଦୋଷ ପାଇଁ ପ୍ରାୟଶ୍ଚିତ ନକରି ପଦଯାତ୍ରା ଦ୍ୱାରା ନିଜ ପାପକୁ ଆହୁରି ଦ୍ୱିଗୁଣିତ କରୁଛନ୍ତି । ଦେଶ ସ୍ୱାଧୀନ ହେବା ପରେ କଂଗ୍ରେସ ଦଳର କେବଳ ବଂଶବାଦ ଓ ତୁଷ୍ଟିକରଣ ରାଜନୀତି କାରଣରୁ ଭାରତବର୍ଷର ବିକାଶ ବାଧାପ୍ରାପ୍ତ ହୋଇଛି । ଅନ୍ୟ ପଟେ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ୍‌, ସବ୍‌କା ପ୍ରୟାସ’କୁ ପାଥେୟ କରି ବର୍ତ୍ତମାନର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୮ବର୍ଷର ଶାସନରେ ଅନେକ ଜନକଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରି ଭାରତବର୍ଷକୁ ଦେଶ ତଥା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସ୍ଥାପନା କରିବାରେ ସଫଳ ହୋଇଛନ୍ତି । କଂଗ୍ରେସର ଦାୟାଦ ସାଜିଥିବା ରାହୁଲ ଗାନ୍ଧୀ ଏହାକୁ ସହି ନପାରି ଏବଂ ନିଜ ସ୍ଥିତି ଓ ଅସ୍ତିତ୍ୱକୁ ବଞ୍ଚାଇ ରଖିବା ପାଇଁ ପଦଯାତ୍ରା ଆଳରେ ଡ୍ରାମାବାଜି କରୁଛନ୍ତି ବୋଲି ବିରୋଧୀଦଳ ମୁଖ୍ୟସଚେତକ ମୋହନଚରଣ ମାଝୀ କହିଛନ୍ତି ।
ଅତୀତର କୁକର୍ମ ପାଇଁ ରାଷ୍ଟ୍ରୀୟ ସ୍ତରରେ କଂଗ୍ରେସର ସ୍ଥିତି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ, ବଳିଷ୍ଠ ବ୍ୟକ୍ତିତ୍ୱ ଓ ଲୋକାଭୀମୁଖୀ ଯୋଜନାକୁ କଂଗ୍ରେସର ହାଇକମାଣ୍ଡଙ୍କଠାରୁ ତୃଣମୂଳ ସ୍ତରର ନେତାମାନେ ଅସହିଷ୍ଣୁ ହୋଇପଡ଼ିଛନ୍ତି । ୨୦୧୪ ମସିହାରେ ମୋଦୀ ସରକାର ଶାସନ କ୍ଷମତାକୁ ଆସିବା ପରେ ଦେଶ ଓ ବିଦେଶରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ କଂଗ୍ରେସ ନେତା ରାହୁଳ ଗାନ୍ଧୀ ବାଉଳା ଚାଉଳା ହେଉଛନ୍ତି । କଂଗ୍ରେସ ‘ଭାରତ ଯୋଡ଼’ ଯାତ୍ରା ଆରମ୍ଭ କଲାବେଳକୁ ଗୋଟିଏ ଗୋଟିଏ ରାଜ୍ୟରେ ଦଳ ଛିଡ଼ିପଡୁଛି । ଦୁଇଦିନ ତଳେ ଗୋଆ ପ୍ରଦେଶରେ କଂଗ୍ରେସ ଦଳ ପରିତ୍ୟାଗ କରିଥିବା ବିଧାୟକଙ୍କ ଘଟଣା ହେଉଛି ବାସ୍ତବ ସ୍ଥିତି । ଏପରିକି ଓଡ଼ିଶାରେ ମଧ୍ୟ ନିଜ ସ୍ଥିତି ବଜାୟ ରଖିବା ପାଇଁ କଂଗ୍ରେସ ସଂଗ୍ରାମ ଜାରିରଖିଛି । ରାଜ୍ୟରେ କଂଗ୍ରେସ ଦଳ ଶାସକ ବିଜେଡିର ବି-ଟିମ୍ ସାଜି କ୍ଷମତା ଉପଭୋଗ କରୁଛି । ଓଡ଼ିଶା କଂଗ୍ରେସର ଶୀର୍ଷ ନେତୃତ୍ୱ ଆଜି ଶାସକ ବିଜେଡି ପାଖରେ ବନ୍ଧା ପଡ଼ିଛନ୍ତି । ତତ୍କାଳୀନ ବିରୋଧୀଦଳ ନେତା ତଥା ବର୍ତ୍ତମାନର ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ କଥା କାହାକୁ ଅଛପା ନାହିଁ । ଭାରତୀୟ ଜନତା ପାର୍ଟିକୁ ଆକ୍ଷେପ କରିବା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ପ୍ରଥମେ ଦର୍ପଣରେ ନିଜ ଚେହେରା ଦେଖିବା ଉଚିତ୍ ବୋଲି ଶ୍ରୀ ମାଝୀ କହିଛନ୍ତି ।