ବିଜେଡିର ଚିନ୍ତା ବଢ଼ିଲାଣି ଦଳୀୟ କନ୍ଦଳ ; ୨୪ ପୂର୍ବରୁ ହେବେ ଭାଗ ଭାଗ

ଭୁବନେଶ୍ୱର: ଓଡ଼ିଶାରେ ବିଜେଡିର ଚିନ୍ତା ବଢାଇ ଚାଲିଛନ୍ତି ଖୋଦ ନିଜ ଦଳର ନେତାମାନେ। ଏପରିକି ଅନୁଭବୀ ନେତାମାନଙ୍କ ମନ୍ତବ୍ୟ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ଆସନ୍ନ ହେଉଥିବା ବେଳେ ଦଳ ବିଭିନ୍ନ ଆକର୍ଷଣୀୟ ସ୍କିମ ମାଧ୍ୟମରେ ଓଡିଶାବାସୀଙ୍କ ମନ ଜିଣୁଥିବା ଦେଖିବାକୁ ମିଳିଛି। ଏପରିକି ରାଜ୍ୟର ବିରୋଧୀ ମାନେ ମଧ୍ୟ ଶାସକ ବିଜେଡିର ସମାସ୍କନ୍ଧ ବିରୋଧୀ ହେବାକୁ ସକ୍ଷମ ହୋଇ ନାହାନ୍ତି ବୋଲି କୁହାଯାଉଛି।

କିନ୍ତୁ ଖୋଦ ନିଜ ଦଳର ନେତାଙ୍କ ମନ୍ତବ୍ୟ ଓ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ସଂଖ୍ୟାକୁ ନେଇ ଦଳର ଚିନ୍ତା ବଢିଥିବା ଆଲୋଚନା ହେଉଛି। କିଛି ଦିନ ତଳେ ବାଲେଶ୍ୱରରେ ଦଳର ପଦଯାତ୍ରାବେଳେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ବିଜେଡିର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା ଆଗାମୀ ନିର୍ବାଚନରେ ବସ୍ତା ବିଧାନସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଥିଲେ। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ବସ୍ତାରେ ବିଜେଡି ବିଧାୟକ ଥିବାବେଳେ ଆଗାମୀ ନିର୍ବାଚନରେ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ମନ୍ତ୍ରୀ ଖୋଲାଖୋଲି ଘୋଷଣା କରିବା ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ସେହିପରି ପୁର୍ବରୁ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଧାମନଗରରୁ ସଞ୍ଜୟ ଦାସଙ୍କ ଦଳୀୟ ପ୍ରାର୍ଥୀତ୍ବକୁ ନେଇ ସାଧାରଣରେ ମନ୍ତବ୍ୟ ଦେଇଥିଲେ। ଏପରିକି ତା ପରେ ପରେ ବିଜେଡିରେ କେବଳ ନବୀନଙ୍କୁ ଛାଡିଲେ ଆଉ କାହାର ଟିକେଟ ଫାଇନାଲ ନୁହେଁ ବୋଲି ସମ୍ବଲପୁରରେ ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଭୁବନେଶ୍ୱରରେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି।

ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବିଜେଡିର ନେତାମାନେ ନିର୍ବାଚନର ବହୁ ପୂର୍ବରୁ ସାଧାରଣରେ ଏଭଳି ମନ୍ତବ୍ୟ ରଖିବା ସ୍ଥିତିକୁ ଜଟିଳ କରିଛି। ଆଗାମୀ ନିର୍ବାଚନରେ ବିଜେଡି ପାଇଁ ଦଳୀୟ ଆଶାୟୀ ପ୍ରାର୍ଥୀ ମାନେ ଅଡୁଆ ସ୍ଥିତି ସୃଷ୍ଟି କରିବେ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି। ଯାହାର ପ୍ରତିଫଳନ ମଧ୍ୟ କିଛି ମାସ ତଳେ ଯାଇଥିବା ଧାମନଗର ଉପନିର୍ବାଚନରେ ଦେଖିବାକୁ ମିଳିଛି।

ରାଜୁ ଦାସଙ୍କ ବିଦ୍ରୋହ ଓ ସେ ସ୍ୱାଧୀନ ପ୍ରାର୍ଥୀ ହେବାରୁ ଦଳକୁ ବହୁମୂଲ୍ୟ ଦେବାକୁ ପଡିଲା । ଏପରିକି କେବଳ ଧାମନଗର ନୁହେଁ ରାଜ୍ୟର ବହୁ ନିର୍ବାଚନ ମଣ୍ଡଳୀରେ ଦଳର ବହୁ ଆଶାୟୀ ଟିକେଟ ପାଇଁ ଲବି କରୁଛନ୍ତି। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡିର ବହୁ ଗୋଷ୍ଠୀ ସମାନ୍ତରାଳ ସଂଗଠନ କରି ଶକ୍ତି ପ୍ରଦର୍ଶନ ମଧ୍ୟ କରୁଛନ୍ତି। ଯାହାକି ବର୍ତ୍ତମାନ ଚାଲିଥିବା ଜନସମ୍ପର୍କ ପଦଯାତ୍ରାରେ ମଧ୍ୟ ଦେଖିବାକୁ ମିଳୁଛି। ପୁରୀରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ଓ ଲକି ଖୁଣ୍ଟିଆଙ୍କ ଗୋଷ୍ଠୀ କିଭଳି ଅଲଗା ଅଲଗା କାର୍ଯ୍ୟକ୍ରମ କରୁଛନ୍ତି ତାହା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି। ସେହିଭଳି କେନ୍ଦ୍ରାପଡାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ତଥା ରାଜ୍ୟର ବହୁ ଜିଲ୍ଲାରେ ଏଭଳି କଥା ଦେଖିବାକୁ ମିଳୁଛି। ଯାହାକି ଆଗାମୀ ନିର୍ବାଚନରେ ଶାସକ ବିଜେଡି ପାଇଁ ଏକ ବଡ଼ ଚିନ୍ତାର ବିଷୟ ହୋଇଛି।

ସେପଟେ ଖଣ୍ଡପଡା, ରେମୁଣା, ଚିଲିକା ଆଦି ବିଧାନସଭା କ୍ଷେତ୍ରରେ ବିଜେଡିର ବିଧାୟକମାନେ ଦଳରୁ ବହିଷ୍କୃତ ହୋଇଥିବାରୁ ସେଠାରେ ଅନେକ ଆଶାୟୀ ଦଳୀୟ ଟିକେଟ ଆଶାରେ ରହିଛନ୍ତି । ଏସବୁ ସ୍ଥାନରେ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶାର ରାଜନୈତିକ ସ୍ଥିତିକୁ ଦେଖିଲେ ବିଜେଡ଼ିକୁ ପ୍ରତିହତ କଲାଭଳି ଉଦ୍ୟମ ବିରୋଧୀ କରିବା ଦେଖାଯାଉନାହିଁ। ସେଥିପାଇଁ ବିଜେଡି ହିଁ ପ୍ରାର୍ଥୀଙ୍କ ପାଇଁ ଏକମାତ୍ର ଆକର୍ଷଣ ଭାବେ ଉଭା ହୋଇଥିବା କୁହାଯାଉଛି। କିନ୍ତୁ ଏଭଳି ସ୍ଥିତିରେ ବିଜେଡିର ବହୁ ଆଶାୟୀ ତଥା ସମାନ୍ତରାଳ ସଂଗଠନ ସହ ବରିଷ୍ଠ ନେତାଙ୍କ ମନ୍ତବ୍ୟ ସ୍ଥିତିକୁ ଜଟିଳ କରିଛି।