ଲୋକସେବା ଭବନ ପରିସରରେ ମିଲେଟ୍‌ ଶକ୍ତି କାଫେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସଭା ଭବନ ପରିସରରେ ମିଲେଟ୍‌ ଶକ୍ତି କାଫେ ଓ କୃଷି ସମୀକ୍ଷା କେନ୍ଦ୍ର ଉଦ୍ଘାଟନ କରିଛନ୍ତି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶାରେ ଏହିପରି ଏକ କୃଷି ସମୀକ୍ଷାକେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି କେନ୍ଦ୍ର ହିତାଧିକାରୀଙ୍କୁ ଯୋଜନା ଓ ସେବା ପ୍ରଦାନକୁ ସୁନିଶ୍ଚିତ କରିବ । ଏହାସହ କୃଷକ ତଥା ସମ୍ପ୍ରସାରଣ କର୍ମଚାରୀଙ୍କୁ ନିୟମିତ ଭାବେ ଅଗ୍ରଗତିର ଯାଞ୍ଚକରି ଆବଶ୍ୟକ ସମୟରେ ସହାୟତା ପ୍ରଦାନ କରିବ । ଏହି କୃଷି ସମୀକ୍ଷା କେନ୍ଦ୍ର ଗୁଣାତ୍ମକ ଉତ୍ପାଦନ ସାମଗ୍ରୀ ଯୋଗାଣ ସହ କୀଟନାଶକ, ରୋଗ ପରିଚାଳନା ଓ କୃଷି ସମ୍ପ୍ରସାରଣ ଅଧିକାରୀଙ୍କୁ ସେବା ପ୍ରଦାନ କରିବ ।

ଓଡ଼ିଶା ମିଲେଟ୍ସ ମିଶନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି କାଫେଟି ପରିଚାଳିତ ହେବ । ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଉତ୍ପାଦ ଗୁଡ଼ିକ ଏହି କାଫେରେ ବିକ୍ରି କରାଯିବ । ଲୋକସେବା ଭବନରେ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଏହା ସହାୟକ ହେବ । ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ସହର ତଥା ଜିଲ୍ଲା ମୁଖ୍ୟାଳୟରେ ମିଲେଟ୍‌ ଶକ୍ତି କାଫେ ପ୍ରତିଷ୍ଠା କରାଯିବ । ପୁଷ୍ଟି ହୀନତା ନିୟନ୍ତ୍ରଣରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍ ଖାଦ୍ୟ ଶସ୍ୟ ର ଗୁରୁତ୍ଵ ଅନୁଭବ କରି ରାଜ୍ୟ ସରକାର ମିଲେଟ୍ ମିଶନ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ବର୍ତମାନ ସୁଦ୍ଧା ୧୪୨ ଟି ମିଲେଟ୍ outlet ଖୋଲା ଯାଇ ସାରିଲାଣି।

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱରା ମିଲେଟ୍ସ ମିଶନ ଭଳି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି । ରାଜ୍ୟ ସରକାର ଏହାକୁ ୧୭୭ଟି ବ୍ଲକକୁ ସମ୍ପ୍ରସାରିତ କରିଛନ୍ତି । ଭାରତ ସରକାର ଓ ମିଳିତ ଜାତିସଂଘ ଏହାକୁ ଏକ ମଡେଲ ପଦକ୍ଷେପର ସ୍ୱୀକୃତି ପ୍ରଦାନ କରିଛନ୍ତି ।

ମିଲେଟ୍‌ ଶକ୍ତି କାଫେ ଉଦଘାଟନ ଅବସରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, ମିଶନ ଶକ୍ତି ବିଭାଗ କମିଶନର ଶ୍ରୀମତି ସୁଜାତା ଆର କାର୍ତ୍ତିକେୟନ୍‌ ପ୍ରମୁଖ ଏହି ଅବସରରେ ଯୋଗ ଦେଇଥିଲେ ।