ଭୁବନେଶ୍ବର: ଆଜି ହେଉଛି ପଖାଳ ଦିବସ। ଓଡିଆର ପ୍ରତିଟି ଘରେ ଏହି ପଖାଳ ବେଶ ଲୋକପ୍ରିୟ। କାରଣ ଖରାଦିନରେ ପଖାଳଗଣ୍ଡେ ପେଟରେ ପଶିଗଲେ ଆଉ ଚିନ୍ତା ନାହିଁ। ଏହି ପଖାଳକୁ ଲୋକପ୍ରିୟ କରିବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖରେ ପାଳନ ହେଉଛି ପଖାଳ ଦିବସ। ଆଜି ଘରେ ଘରେ ସମସ୍ତେ ପଖାଳ ଖାଇ ଆନନ୍ଦ ନେବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବିଧାନସଭା ପରିସରରେ ମଧ୍ୟ ପଖାଳ ଦିବସ ପାଳନ ହୋଇଛି। ବାଚସ୍ପତି ସୁରମା ପାଢୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଅନ୍ୟମନ୍ତ୍ରୀ ପଖାଳ ଖାଇଛନ୍ତି। ସମସ୍ତଙ୍କୁ କଂସା ବାସନରେ ପରଶାଯାଇଛି ଏହି ପଖାଳ। କଂସା ବେଲାରେ ରହିଛି ପଖାଳ ଆଉ ତା ଭିତରେ ପଡିଛି ଲେମ୍ବୁ ସହିତ କଂଞ୍ଚା ଲଙ୍କା। ସେହିପରି ତରକାରୀରେ ରହିଛି ବାଇଗଣ ଭର୍ତ୍ତା, ବଡି ଚୁରା, ପୋଟଳ ବେସର, ଲଙ୍କା ପିଆଜ, ପାମ୍ପଡ ସହିତ ଏକ ତରକାରୀ। ଏହାକୁ ବେଶ ମନଭରୀ ଖାଇଥିଲେ ସମସ୍ତ ସଦସ୍ୟ। ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ପଖାଳ ଶରୀର ଓ ମନ ପାଇଁ ପ୍ରକୃତରେ ଖୁବ ଶାନ୍ତିଦାୟକ। ଆମ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁ ପାଇଁ ପଖାଳ ଖୁବ ଉପକାରୀ, ତେଣୁ ଆମ ଓଡ଼ିଆ ମାନଙ୍କର ପଖାଳ ସହିତ ନିବିଡ଼ ସମ୍ପର୍କ କେଉଁ ଅନାଦି କାଳରୁ ରହି ଆସିଛି।