ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମାଟି ମା’କୁ ପୂଜା କରି ଚଷା ପୁଅ ଅଖିମୁଠି ଅନୁକୂଳ କରିଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀ ଭାଇଙ୍କ ଅକ୍ଷିମୁଠି ଅନୁକୂଳ ଚଳିତ ବର୍ଷ ଭଲ ଫସଲ ଅମଳ ହେବା ସହ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। ଏଥିସହ ରବିବାର ଭୁବନେଶ୍ବର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକ ସେବା ଭବନ ଆସି ସେଠାରେ ମିଲଟ ଶକ୍ତି କାଫେ ଲୋକାର୍ପିତ କରିଥିଲେ। ପୁଷ୍ଟି ହୀନତା ନିୟନ୍ତ୍ରଣରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍ ଖାଦ୍ୟ ଶସ୍ୟ ର ଗୁରୁତ୍ଵ ଅନୁଭବ କରି ରାଜ୍ୟ ସରକାର ମିଲେଟ୍ ମିଶନ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ବର୍ତମାନ ସୁଦ୍ଧା ୧୪୨ ଟି ମିଲେଟ୍ ଆଉଟଲେଟ୍ ଖୋଲା ଯାଇ ସାରିଲାଣି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘କୃଷି ସମୀକ୍ଷା କେନ୍ଦ୍ର’ରମଧ୍ୟ କରିଥଲେ।  କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତିର ପ୍ରୟୋଗରେ ଏଠାରେ ଏହା କ୍ଷେତ୍ର ସ୍ତରରୁ ବିଭିନ୍ନ  ସୂଚନା ବାସ୍ତବ ସମୟରେ ହାସଲ କରି ନିଷ୍ପତ୍ତି ନେବାରେ ସହାୟତା କରି ପାରିବ। ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଏବଂ ଚାଷୀଙ୍କୁ ସହାୟତା କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଜ୍ୟ ସରକାରଙ୍କ ୫ ଟି ଆଭିମୁଖ୍ୟରେ ଏହି କେନ୍ଦ୍ର ସ୍ଥାପନ କରା ଯାଇଛି। କୃଷି ବିଭାଗ ପ୍ରମୁଖ ସଚିବ  ଅରବିନ୍ଦ ପାଢ଼ୀ ମୁଖ୍ୟ ମନ୍ତ୍ରୀଙ୍କୁ ଏହି କେନ୍ଦ୍ରର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ଲୋକ ସେବା ଭବନ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଶିଶୁ ସନ୍ତାନ ମାନଂକ ପାଇଁ ଏକ  ‘କଳିକା’ ମଧ୍ୟ ମୁଖ୍ୟମନ୍ତ୍ରୀ  ଉଦଘାଟନ କରିଥିଲେ। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବର୍ତମାନ ୨୦ ଜଣ ଶିଶୁ ରହିବାର ବ୍ୟବସ୍ଥା  କରାଯାଇଛି।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତି ଅନୁ ଗର୍ଗ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସେପଟେ ରାଜ୍ୟ ବିହନ ପରୀକ୍ଷାଗାରର ପରିସରରେ ନୂତନ ପ୍ରଶାସନିକ ଗୃହ ଓ କୃଷକ ଆବାସ ଉଦଘାଟନ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସହ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଗୃହକୁ ଉଦଘାଟନ କରିଛନ୍ତି । ଆଜିଠୁ ଆରମ୍ଭ ହେଉଥିବା ନୂତନ ସେବା ଦ୍ଵାରା କୃଷକ ଅନେକ ସୁବିଧା ପାଇବେ ଏବଂ ପରୀକ୍ଷାଗାରର କ୍ଷମତା ଓ ଦକ୍ଷତା ବଢିବ ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଉଦଘାଟିତ ହୋଇଥିବା କୃଷକ ଗୃହ ସମ୍ପୂର୍ଣ୍ଣ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ । ଏବେ ବାର୍ଷିକ ହାରାହାରି ୧୪ ହଜାର ବିହନ ନମୁନା ପରୀକ୍ଷା କରାଯିବାର କ୍ଷମତା ସହ ପରୀକ୍ଷାଗାରରେ ଏକ ଜିନ୍ ବ୍ୟାଙ୍କ ରହିଛି । ଯେଉଁଥିରେ ରାଜ୍ୟ ମଧ୍ୟରୁ ଧାନ ଓ ଅଣଧାନ ଫସଲର ୧୩୬୧ଟି ଦେଶୀ ବିହନ ସଂଗୃହୀତ ହୋଇଛି । ଏସବୁ ସଂଗୃହୀତ ଜିନ୍ ବ୍ୟବହାର କରି ଭବିଷ୍ୟତ ପାଇଁ ଉନ୍ନତ କିସମର ବିହନ ବାହାର କରାଯାଇ ପାରିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

ସୂଚନାଯୋଗ୍ୟ, କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି l କାଳିଆ ଯୋଜନାରେ ଚାଷୀଙ୍କୁ ରାଜ୍ୟ ସରକାର ବର୍ଷକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେଉଛନ୍ତି l ଏଥିରେ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେଉଛନ୍ତି l ସେହିପରି ବଳରାମ ଓ ଅନ୍ୟ ଯୋଜନାରେ ସହାୟତା ଦିଆଯାଉଛି l ବିନାସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ଯାଏ କୃଷିଋଣ ଦିଆଯାଉଛି l ସ୍ଵତନ୍ତ୍ର କୃଷି ବଜେଟ୍ ଆଣିବା ସହ ବିଭିନ୍ନ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି। ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି l କିଛିଦିନ ତଳେ ଚାଷୀଙ୍କୁ କାଳିଆ ଯୋଜନାର ଅର୍ଥ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।