ଭୁବନେଶ୍ୱର: ଆଜି ବିଜେଡି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ। ଓଡ଼ିଶା ରାଜନୀତିରେ ଲଗାତାର ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିଲେ । ଆଜି ତାଙ୍କ ଜନ୍ମଦିନରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ନେଇ ଅନେକ ବିଜେଡି ନେତା ତଥା ଅନ୍ୟ ଦଳର ବିଶିଷ୍ଟ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ସୁଖମୟ ଜୀବନ କାମନା କରିଛନ୍ତି।
ସୋସିଆଲ ମିଡିଆ ଏକ୍ସ (X) ରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି ଯେ, “ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ନିରାମୟ, ଦୀର୍ଘ ଓ ସୁଖମୟ ଜୀବନ ପ୍ରାର୍ଥନା କରୁଛି।” ଆଜି ବିଜେଡି ସୁପ୍ରିମୋ ୮୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ନେତା, ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ହଜାର ହଜାର ବିଜେଡି କର୍ମୀ ତଥା ଶୁଭେଚ୍ଛୁମାନେ ତାଙ୍କୁ ଜନ୍ମଦିନର ଆନ୍ତରିକ ଶୁଭକାମନା ଜଣାଉଛନ୍ତି। ନବୀନ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନେତା। ସେ ୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସେ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ଏବଂ ବିଜୁ ଜନତା ଦଳ (ବିଜେଡି) ର ସଭାପତି ଭାବେ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ଦୀର୍ଘ ନିରାମୟ ଏବଂ ସୁଖମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।