ଗଜପତି ଜିଲ୍ଲାରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରଳାଖେମୁଣ୍ଡି ଷ୍ଟାଡିୟମରେ ଆୟୋଜିତ ସମାବେଶରେ ଯୋଗଦେଇ ହିତାଧିକାରୀଙ୍କୁ ବିଏସକେୱାଇ (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ) ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ଏଥି ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରିକ୍ସାବାଲାଠୁ ଜନଜାତି ସମସ୍ତଙ୍କ ଜୀବନ ମୂଲ୍ୟବାନ । ଅର୍ଥାଭାବରୁ କେହି ଯେମିତି ଉତ୍ତମ ଚିକିତ୍ସାସେବା ରୁ ବଞ୍ଚିତ ନ ହେବେ, ତାହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ପ୍ରଚଳନ କରାଯାଇଛି I ଏହା ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଦୁଃଖକୁ ଦୂର କରିବାରେ ସହାୟକ ହେବ ବୋଲି ନବୀନ କହିଛନ୍ତି ।

ଗଜପତି ଜିଲ୍ଲାରେ ମୋଟ୍ ୯୬ ହଜାର ହିତାଧିକାରୀଙ୍କୁ ଚୟନ କରି ତାଲିକା ଭୁକ୍ତ କରାଯାଇଥିବା ବେଳେ ଏହା ଦ୍ବାରା ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ । ସେହିଭଳି ୭୯୬ କୋଟି ଟଙ୍କାର ମୋଟ ୩୬ଟି ପ୍ରକଳ୍ପର ଉଦଘାଟନ କରାଯାଇଛି । ଏଥିରେ ଅନେକ ମେଗା ପ୍ରକଳ୍ପ ରହିଛି । ଏହା ପୂର୍ବରୁ ମାଲକାନଗିରି ଓ ବଲାଙ୍ଗୀର ରେ ସ୍ମାର୍ଟ କାର୍ଡ ବଣ୍ଟନ ହୋଇସାରିଛି I

(ଫୋଟୋ ସୌଜନ୍ୟ :ଟ୍ୱିଟର )

Comments (0)
Add Comment