ନିଦ୍ରାରେ ସୋଇଛି ରାଜଧାନୀ ପୋଲିସ ; ୨୪ଘଣ୍ଟାରେ ୩ ହତ୍ୟାକାଣ୍ଡ

ଭୁବନେଶ୍ୱର:୨୪ ଘଣ୍ଟାରେ ତିନି ତିନୋଟି ହତ୍ୟାକାଣ୍ଡ । ଆଉ କେଉଁଠି ନୁହେଁ ଖୋଦ ରାଜଧାନୀ ଭୁବନେଶ୍ୱର ଛାତିରେ । ୨ ଜଣ ମହିଳା ଓ ଜଣେ ଶିଶୁକନ୍ୟାଙ୍କୁ ନିର୍ମମ ହତ୍ୟା । ଯେମିତି ରାଜଧାନୀରେ ଅସୁରକ୍ଷିତ ନାରୀ ।  ଗତକାଲି ୩ ବର୍ଷର ଝିଅକୁ ବଳାତ୍କାର ହତ୍ୟା ପରେ ଜଣେ ମହିଳାଙ୍କୁ  ଛୁରି ଭୂଷି ହତ୍ୟା କରାଯାଇଥିଲା । ଏହାର କିଛି ଘଣ୍ଟା ପରେ ପୁଣି ଜଣେ ମହିଳାଙ୍କ ଶବ ମିଳିଛି ଏୟାରଫିଲ୍ଡ ଥାନା ଅଧୀନସ୍ଥ ପୁନାମା ଗେଟ ନକିଟରୁ । ତେବେ ପ୍ରଶ୍ନ ଉଠୁଛି, ସାରା ରାଜ୍ୟର ଆଇନଶୃଙ୍ଖଳାର ଯେଉଁଠୁ ନିୟନ୍ତ୍ରିତ ହେଉଛି ସେହିଠାରେ  ଆଇନ ବ୍ୟବସ୍ଥା ଏତେ ବିପର୍ଯ୍ୟସ୍ତ କେମିତି ? କମିଶନରେଟ ପୋଲିସକୁ ଏହା ଖୋଲା ଚାଲେଞ୍ଜ ନୁହେଁ ତ କ‘ଣ !

ପ୍ରଥମ ଘଟଣା ଘଟିଥିଲା ଏୟାର ଫିଲ୍ଡ ଥାନା ଅଞ୍ଚଳରେ ସୋମବାର ସନ୍ଧ୍ୟାରେ । ୩ ବର୍ଷର ନିରୀହ ଶିଶୁକୁ ଚକଲେଟ ଦେବ ବୋଲି ଡାକି ଆଣିଥିଲା ଅଭିଯୁକ୍ତ ଘିନୁଆ । ଚକଲେଟ ଦେବା ନାଁରେ ଅସଦାଚରଣ କରିଥିଲା । ଶିଶୁକନ୍ୟାଟି ପାଟି କରିବାରୁ ତାକୁ ହତ୍ୟା କରିଥିଲା ବର୍ବର ଅଭିଯୁକ୍ତ । ଘଟଣା ଘଟାଇବା ପରେ ଫରାର ହୋଇ ଯାଇଛି ଘିନୁଆ । ତେବେ ପୋଲିସ ଶିଶୁ କନ୍ୟାକୁ ହତ୍ୟା କରାଯାଇଥିବା ସ୍ୱୀକାର କରିଥିଲେ ହେଁ ଦୁଷ୍କର୍ମ ଅଭିଯୋଗକୁ ସ୍ୱୀକାର କରିନାହିଁ ।

ଅନ୍ୟ ଘଟଣାଟି ଘଟିଛି ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଗୋଠପାଟଣାରେ । କ୍ରିଷ୍ଣାପୁରୀ କଲୋନୀରେ ପରିବାର ସହ ରହୁଥିବା ୩୫ ବର୍ଷୀୟ  ଜଣେ ମହିଳାଙ୍କୁ ବିଭତ୍ସଭାବେ ଛୁରି ଭୁଷି ହତ୍ୟା କରାଯାଇଛି ।  ମୃତ ମହିଳାଙ୍କ ନାଁ ସସ୍ମିତା ବେହରା  ସେ ଜଣେ ଜଳଖିଆ ଦୋକାନୀ । ଏଠି ବି ମଧ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି ।

ଅନ୍ୟଟି ଘଟିଛି ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ପୁନାମା ଗେଟ ନିକଟରେ । ଏଠି ମଧ୍ୟ ଜଣେ ୩୦ ବର୍ଷୀୟ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଯୌତୁକ ପାଇଁ ଯୁବତୀଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ କହିଛନ୍ତି । ମୃତା ଯୁବତୀଙ୍କ ନାଁ ପ୍ରିୟଙ୍କା ମିଶ୍ର  । କେନ୍ଦ୍ରାପଡାର ପ୍ରିୟଙ୍କା ଅରବିନ୍ଦନଗରର ପ୍ରଦୀପ୍ତ ଦାସଙ୍କ ପୁଅ ସୁରଜଙ୍କୁ ବିବାହ କରିଥିଲେ । ହେଲେ ସୁରଜ  ସବୁବେଳେ ଜମି ପାଇଁ ପ୍ରିୟଙ୍କାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ବାପାଘର ଲୋକେ ରାଜଧାନୀରେ ଜମି ଦେଇ ନ ପାରିବାରୁ ସେ  ପତ୍ନୀଙ୍କୁ ହତ୍ୟା କରିଥିବା କହିଛନ୍ତି ପ୍ରିୟଙ୍କାଙ୍କ ପରିବାର ଲୋକେ  ।

ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି ରାଜଧାନୀ । କିଛିଦିନ ତଳେ ଏକ ରେଞ୍ଜ ରୋଭର ଗାଡି ଧକ୍କାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଏବେ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ତେଣୁ ଗୋଟିଏ ବାକ୍ୟରେ କହିଲଷ, ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁନି କି ରାଜଧାନୀ ? ଆଇନର ନାକତଳେ ଏପରି ହତ୍ୟାକାଣ୍ଡମାନ ଘଟିଯାଇଛି, ଅଭିଯୁକ୍ତ ଫରୋର ହୋଇଯାଉଛି । ହେଲେ ପୋଲିସ ସେମାନଙ୍କୁ ଧରିପାରୁନି । ସରକାର ରାଜ୍ୟରେ ଆଇନଶୃଙ୍ଖଳା ଠିକ ଭାବେ ଚାଲିଛି ବୋଲି ଡିଙ୍ଗୁରା ପିଟୁଥିବାବେଳେ ଏପରି ଘଟଣା ସରକାରଙ୍କ  ପ୍ରତି ଉପହାସ ନୁହେଁ କି ?