ନାଗାଲାଣ୍ଡ୍ ଓ ମେଘାଳୟ ପାଇଁ ଘୋଷଣା ହେଲା ପ୍ରାର୍ଥୀ ପତ୍ର

ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି ! ୬୦ ଟି ଆସନରୁ ୨୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବିଜେପି ! ସରଗରମ ହେଉଛି ରାଜନିତୀ । ବଦଳୁଛି ରାଜନୈତିକ ସମ୍ମୀକରଣ । ନାଗାଲାଣ୍ଡ୍ ଓ ମେଘାଳୟ ବିଧାନସଭା ନିମନ୍ତେ ଆଜି ‘ବିଜେପି’ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥୀ ତାଲିକା ଘୋଷଣା କରି ବରିଷ୍ଠ ‘ବିଜେପି’ ନେତାମାନେ କହିଛନ୍ତି, ନାଗାଲାଣ୍ଡ୍‌ରେ ଆମେ ୬୦ଟି ଆସନରୁ ୨୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ । ବାକି ଆସନ ଆମର ମେଣ୍ଟ ଦଳ ‘ଏନ୍‌ଡିପିପି’କୁ ଦିଆଯାଇଛି ।

ସେହିପରି, ମେଘାଳୟରେ ଆମେ ୬୦ଟିଯାକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବୁ । ଆମର ଟ୍ୟାଗ୍‌ଲାଇନ୍ ହେଉଛି ‘ଏମ୍ ପାୱାର୍ ମେଘାଳୟ’ ଅର୍ଥାତ୍ ସେଠାରେ ‘ମୋଦୀ-ପାୱାର୍ଡ୍ ମେଘାଳୟ’ ଏବଂ ‘ଡବଲ୍‌-ଇଞ୍ଜିନ୍ ସରକାର’ ଗଠନ କରାଯିବ । ନାଗାଲାଣ୍ଡ୍ ପାଇଁ ‘ବିଜେପି’ ୨୦ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି । ରାଜ୍ୟ ‘ବିଜେପି’ ସଭାପତି ତେମଜେନ୍ ଇମ୍‌ନା ଆଲୋଙ୍ଗ୍ ଆଲୋଙ୍ଗତାକି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଉକ୍ତ ତାଲିକାରୁ ଜଣାପଡ଼ିଛି । ନାଗାଲାଣ୍ଡ୍ ଓ ମେଘାଳୟ ପାଇଁ ଫେବ୍ରୁଆରି ୨୭ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରାଯିବ ।

ମାର୍ଚ ୨ ତାରିଖ ଦିନ ଫଳାଫଳ ଘୋଷଣା କରାଯିବ । ନାଗାଲାଣ୍ଡ ଓ ମେଘାଳୟ ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ ୧୨ ଓ ୧୫ରେ ଶେଷ ହେବ । ତେବେ ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । କାମ ଦେଉଛି କାହା ରଣନିତୀ ତାହା ଉପରେ ଏବେ ସମସ୍ତଙ୍କ ନଜର ।