ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭୁବନେଶ୍ୱର ଠାରେ ସାମ୍ବାଦିକ ତଥା ଲେଖକ ଚୌଧୁରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ “ନିର୍ବାଚନ ୨୦୨୪ – ଓଡ଼ିଶା ରାଜନୀତିର କଡ଼ ଲେଉଟାଣି” ପୁସ୍ତକ ଉନ୍ମୋଚନ କରିବା ସହ ଲୋକାର୍ପିତ ପୁସ୍ତକ ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ ବୋଲି କହିଛନ୍ତି ।
ସେ କହିଛନ୍ତି, ୨୦୨୪ ନିର୍ବାଚନର ଟିକିନିଖି ବିବରଣୀକୁ ଏହି ପୁସ୍ତକରେ ସ୍ଥାନ ଦିଆଯାଇଛି । ପୁସ୍ତକଟି ତଥ୍ୟ ଭିତ୍ତିକ । ଅନେକ ଅକୁହା ଓ ସାର୍ବଜନୀନ କଥା ଏଥିରେ ଉଲ୍ଲେଖ ଅଛି । ଅନେକ ରାଜ୍ୟରେ ନିର୍ବାଚନ ଶେଷ ହେବା ଉପରାନ୍ତେ ପ୍ରବୀଣ ସାମ୍ବାଦିକମାନେ ନିର୍ବାଚନକୁ ନେଇ ପୁସ୍ତକ ଲେଖନ୍ତି । ଓଡ଼ିଶାରେ ମଧ୍ୟ ଆଜି ସେଭଳି ଜାତୀୟ ସ୍ତରର ପୁସ୍ତକ ଉନ୍ମୋଚନ ହେବା ଖୁସିର ବିଷୟ । ଆଜି ଏଭଳି ବିଷୟକୁ ତଥ୍ୟ ଆଧାରିତ ପୁସ୍ତକର ରୂପ ଦେଇଥିବାରୁ ଲେଖକ ଏବଂ ପ୍ରକାଶନ ସଂସ୍ଥାକୁ ଧନ୍ୟବାଦ ଜଣାଉଛି । ଗଣତନ୍ତ୍ରରେ ଭିନ୍ନ ମତକୁ ସମ୍ମାନ ଦେବା ଦରକାର ।
ନିର୍ବାଚନ ସବୁବେଳେ ଉତ୍କଣ୍ଠାର ବିଷୟ ଥାଏ । ନୂଆ ନୂଆ ଚରିତ୍ର ସହ ଯୋଡି ହୋଇଥାଏ । ସବୁ ସମୟରେ ସବୁ ନିର୍ବାଚନର ନିଜସ୍ୱ ଚରିତ୍ର ଅଛି । ସବୁ ନିର୍ବାଚନର ପ୍ରସଙ୍ଗ, ପ୍ରଚାର ଶୈଳୀ ଭିନ୍ନ ଥାଏ ଏବଂ ଅନେକ ସମୟରେ ନୂଆ ନୂଆ ବିଷୟର ଅଭ୍ୟୁଦୋୟ ମଧ୍ୟ ହୋଇଥାଏ । ଓଡ଼ିଶା ନିର୍ବାଚନ ସମ୍ପର୍କରେ ସମ୍ପର୍କିତ ପୁସ୍ତକ ଭବିଷ୍ୟତର ପିଢି ତଥା ଆଗାମୀ ପିଢିର ଜନପ୍ରତିନିଧିମାନଙ୍କୁ ଅନୁପ୍ରାଣିତ କରିବ । ଏହ ବହି ଆଗାମୀ ଦିନରେ ଓଡ଼ିଶାର ସାମାଜିକ ଜୀବନକୁ ସ୍ୱଚ୍ଛ କରିବା ପାଇଁ ନିଶ୍ଚିତ ଭାବରେ ସହାୟକ ହେବ । ପୁସ୍ତକଟି ଅଧିକରୁ ଅଧିକ ଲୋକାଦୃତ ହେଉ, ଏହା ପ୍ରଭୁଙ୍କ ପାଖରେ କାମନା ।
ଶ୍ରୀ ପ୍ରଧାନ କହିଛନ୍ତି ଯେଉଁ ଜାତିର ନିଜସ୍ୱ ପରିଚୟ ଅଛି, ଅଭିମାନ ଅଛି, ସେହି ଜାତିର ଉନ୍ନତି ଏବଂ ଗାରିମା ଅକ୍ଷୁର୍ଣ୍ଣ ରଖିବା ପାଇଁ ଦଳ, ମତ, ବିଚାର ନିର୍ବିଶେଷରେ ସମସ୍ତ ରାଜନୈତିକ ନେତୃତ୍ୱ ଏକାଠି ହେବା ଦରକାର । ଗତ ନିର୍ବାଚନରେ ଓଡ଼ିଆ ଲୋକମାନଙ୍କର ବିଜୟ ହୋଇଛି । ଓଡ଼ିଆ ଲୋକମାନେ ସ୍ୱାଭିମାନୀ । ସେମାନଙ୍କ ଭିତରେ ସହିବାର ଗୋଟିଏ ସୀମା ଅଛି । ଏଥର ଓଡ଼ିଆ ଲୋକମାନଙ୍କ ନିର୍ଣ୍ଣୟ ପାଇଁ ବିଜେପିର ବିଜୟ ହୋଇଛି । ବିଜେପି ସରକାରକୁ ଆସିଛି । ସରକାର ଗଠନ ହେବା ପରେ ସୁଭଦ୍ରା ଭଳି ଯୋଜନାରେ ୧ କୋଟି ହିତାଧିକାରୀ ଯୋଡିହୋଇଛନ୍ତି । ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି କରିବା ଭଳି ଅନେକ ନିର୍ବାଚନ ପ୍ରତିଶ୍ରୁତିକୁ ବିଜେପି ପୂରଣ କରିଛି ବୋଲି ସେ କହିଛନ୍ତି ।