ବିଧାନସଭାରେ ଅତିରିକ୍ତ ବଜେଟ୍‌ ଉପସ୍ଥାପନ ସମୟରେ କଳା ଗାମୁଛା ଦେଖାଇଲା ବିଜେପି

ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ କୁ ନେଇ ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭା ରେ ତାତି ଦେଖାଦେଇଛି I ପୂର୍ବାହ୍ନ ଗୃହ କାର୍ଯ୍ୟ ସମୟରେ ବିରୋଧୀ ଙ୍କ ହଟ୍ଟଗୋଳ ଯୋଗୁଁ ସନ୍ଧ୍ୟା ୫ ଯାଏ ଗୃହ କୁ ମୁଲତବୀ ରଖିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର I ସେହିଭଳି ସନ୍ଧ୍ୟା ୫ ଟାରୁ ଆରମ୍ଭ ହେଇଥିବା ଗୃହରେ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଥିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ Iସେହି ସମୟରେ ବିରୋଧୀ ବିଜେପି ବିଧାୟକମାନେ ବିଧାନସଭା ମଧ୍ୟଭାଗକୁ ଆସି କଳା ଗାମୁଛା ଓ ବ୍ୟାନର ଦେଖାଇ ମନ୍ତ୍ରୀଙ୍କ ଆଡ଼କୁ ଅନାଇ ନାରାବାଜି ଦେଖାଇଥିଲେ । ସେମାନଙ୍କ ଦାବି ଥିଲା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ ଓ ତାଙ୍କୁ ଗିରଫ କରାଯାଉ। ବିଧାନସଭାରେ ତାଙ୍କୁ ପୂରାଇ ଦିଆନଯାଉ।ଠିକ୍‌ ସେମିତି କଂଗ୍ରେସ ବିଧାୟକମାନେ ମଧ୍ୟ ବ୍ୟାନର ଓ ପୋଷ୍ଟର ଦେଖାଇ ହୋ-ହଲ୍ଲା କରିଥିବା ଦେଖିବାକୁ ମିଳିଛି। ସେମାନଙ୍କ ଦାବି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ ଓ ମାମଲାର ସିବିଆଇ ତଦନ୍ତ କରାଯାଉ।ସୂଚନାରୁ ପ୍ରକାଶ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ହତ ଥିବା ଅଭିଯୋଗ କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ। ସେଥିପାଇଁ ତାଙ୍କୁ ବିଧାନସଭାକୁ ପ୍ରବେଶ କରିଦିଆଯିବ ନାହିଁ ବୋଲି ବିରୋଧୀ ପୂର୍ବରୁ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ତେବେ ବିରୋଧୀ ଙ୍କ ହୋ-ହଲ୍ଲା ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୯,୮୩୩ କୋଟି ଟଙ୍କା ର ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିଥିଲେ I

Comments (0)
Add Comment