୪ ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ତାର ୪ ଜଣ ପ୍ରାର୍ଥୀ ଘୋଷଣା କରିଛି । ୩ ଜଣ ନୂଆ ମୁହଁ ଥିଲେ ମଧ୍ୟ ସସ୍ମିତ ପାତ୍ରଙ୍କୁ ପୁଣି ଥରେ ରିପିଟ କରାଯାଇଛି । ଏହା ପୂର୍ବରୁ ସେ ୩ ବର୍ଷ ପାଇଁ ରାଜ୍ୟସଭାକୁ ଯାଇଥିଲେ Iସେହିପରି ଅନ୍ୟ ୩ ଜଣଙ୍କ ମଧ୍ୟରେ ଅଛନ୍ତି ସୁଲତା ଦେଓ, ନିରଞ୍ଜନ ବିଶି ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଙ୍କ ନାଁ ଘୋଷଣା କରିଛି ଦଳ । ଦଳ ପକ୍ଷରୁ ଶ୍ରିମୟୀ ମିଶ୍ର ଙ୍କ ନାଁ ଆଲୋଚନା ହେଉଥିଲା ବେଳେ ସୁଲତା ଦେଓ ଙ୍କୁ ଟିକେଟ୍ ମିଳିଛି। ତେବେ ନବୀନ ଯେଉଁ ଗୋଟିଏ ସର୍‌ପ୍ରାଇଜ୍ କାର୍ଡ ଖେଳିଛନ୍ତି, ସେ ହେଉଛନ୍ତି- ନିରଞ୍ଜନ ବିଶି। ସେ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଜଣେ ଚର୍ଚ୍ଚିତ ଆଦିବାସୀ ଚେହେରା। ସେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ସାଧାରଣ ସଂପାଦକ ଅଛନ୍ତି। ତାଙ୍କୁ ସୁବାସ ସିଂହଙ୍କ ସ୍ଥାନରେ ରାଜ୍ୟସଭାକୁ ପଠାଇବାକୁ ବିଜେଡି ପ୍ରାର୍ଥୀ କରିଥିବା ଜଣାପଡ଼ିଛି।ଏନେଇ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ବିଜେଡି ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଓଡିଶା କୋଟାରୁ ରାଜ୍ୟସଭାରେ ୪ଟି ଆସନ ଖାଲି ରହିଛି । ପ୍ରସନ୍ନ ଆଚାର୍ଯ୍ୟ, ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚେହେରା ଏନ୍. ଭାସ୍କର ରାଓ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଥିବାବେଳେ କଟକ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଯାହାପରେ ଓଡିଶାରୁ ମୋଟ ୪ଟି ଆସନ ଖାଲି ରହିଛି ।

ସେହିପରି ରାଜ୍ୟସଭା ନିର୍ବାଚନ ଲାଗି ଗତ ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାସହ ନାମାଙ୍କନ ଦାଖଲ ସମୟ ମଧ୍ୟ ଆରମ୍ଭ ହୋଇଥିଲା। ସେପଟେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେଡି ବ୍ୟତୀତ ଅନ୍ୟ କୌଣସି ଦଳ ଏଯାଏ ପ୍ରାର୍ଥୀ ଚୟନ କରିନାହାନ୍ତି ।