ଚଳିତ ବର୍ଷର ଏସିଆନ୍ ଗେମ୍ସ ସ୍ଥଗିତ । ସୂଚନା ଦେଇଛି ଅଲିମ୍ପିକ୍ କାଉନସିଲ ଅଫ୍ ଏସିଆ । ୨୦୨୨ର ଏସିଆନ୍ ଗେମ୍ସ ଆସନ୍ତା ସେପ୍ଟେମ୍ବର ୧୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଚୀନର ହାଙ୍ଗଝୁଠାରେ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଥିଲା । କିନ୍ତୁ ବର୍ତ୍ତମାନ କରୋନାର ଉତ୍ପତ୍ତି ସ୍ଥଳ ଚାଇନାରେ ସଂକ୍ରମଣ ପୁଣି କାୟା ବିସ୍ତାର କରିଚାଲିଛି I ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଏହି କ୍ରୀଡ଼ା ମହାକୁମ୍ଭ ପୁଣି କେବେ ହେବ ତାର ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ଶୁକ୍ରବାର ତାସକେଣ୍ଟରେ ଆୟୋଜିତ ଏସିଆନ ଅଲିମ୍ପିକ୍ସ କାଉନସିଲ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ଅଲିମ୍ପିକ୍ସ କାଉନସିଲ ପକ୍ଷରୁ ସ୍ପଷ୍ଟ କାରଣ ଦର୍ଶା ଯାଇ ନ ଥିଲେ ମଧ୍ୟ ଏସୀୟ କ୍ରୀଡ଼ାକୁ ସ୍ଥଗିତ ରଖିବାର କାରଣ କରୋନା ବୋଲି କୁହାଯାଉଛି।
୧୯ତମ ଏସିଆନ୍ ଗେମ୍ସରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ ଏସୀୟ ରାଷ୍ଟ୍ରମାନଙ୍କରୁ ପାଖାପାଖି ୧୦ ହଜାର ଆଥଲେଟ୍ସ ହାଙ୍ଗଝୁରେ ପହଞ୍ଚି ସାରିଥିଲେ । ଏହି ପ୍ରତିଯୋଗୀମାନେ ୪୦ରୁ ଅଧିକ ଇଭେଷ୍ଟରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ କୋଭିଡ୍ କାରଣରୁ ଏହି ବୃହତ ଇଭେଣ୍ଟକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ କୋଭିଡ୍ ସଂକ୍ରମଣ କାରଣରୁ ଶଙ୍ଘାଇ ସହରର ୨.୫ କୋଟି ଲୋକଙ୍କୁ ଲକଲାଡନରେ ଘରେ ରହିବାକୁ କୁହାଯାଇଥିଲା । ସହରର ଅଧିକାଂଶ ସ୍ଥାନରେ କଟକଣା ଲାଗୁ କରାଯାଇଥିଲା । ପୂର୍ବ ଚୀନର ୧.୨ କୋଟି ଜନସଂଖ୍ୟା ବିଶିଷ୍ଟ ସହର ହାଙ୍ଗଝୁ ଏସିଆନ୍ ଗେମ୍ସର ଆୟୋଜନ ପାଇଁ ପ୍ରସ୍ତୁତ ହୋଇ ରହିଥିଲା । ଏସିଆନ୍ ଗେମ୍ସ ଓ ଏସିଆନ୍ ପାରା ଗେମ୍ସ ପରି ବୃହତ ଇଭେଣ୍ଟର ଆୟୋଜନ ସକାଶେ ସହରରେ ୫୬ଟି ପ୍ରତିଯୋଗିତା ସ୍ଥାନ ନିର୍ମାଣ କରାଯାଇଥିଲା ।