ବଜାଜ୍‌ ମୋଟର୍ସର ପ୍ରତିଷ୍ଠାତା ରାହୁଲ ବଜାଜ ଙ୍କ ପରଲୋକ

ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ ତଥା ବଜାଜ୍‌ ମୋଟର୍ସର ପ୍ରତିଷ୍ଠାତା ପଦ୍ମ ଭୂଷଣ ରାହୁଲ ବଜାଜ୍‌ଙ୍କର ୮୩ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘଦିନ ହେବ ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପୁଣେସ୍ଥିତ ବାସଭବନରେ ଦେହ ତ୍ୟାଗ କରିଛନ୍ତି । ସେ ୫୦ ବର୍ଷ ଧରି ବଜାଜ ଗୃପ ର ସଫଳତାର ସହିତ ନେତୃତ୍ୱ ନେଇ କମ୍ପାନୀ କୁ ଶିଖରରେ ପହଞ୍ଚାଇ ପାରିଥିଲେ I ତାଙ୍କ ବିୟୋଗରେ ଦେଶର ବ୍ୟବସାୟ ଜଗତରେ ଶୋକର ଲହରୀ ଖେଳିଯାଇଛି ।

ରାହୁଲ ବଜାଜ ୧୯୩୮ ମସିହା ଜୁନ ୧୦ ତାରିଖରେ କଲକତା ଠାରେ ମାରୱାଡି ବ୍ୟବସାୟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କ ପରିବାର ରାଜସ୍ଥାନର ସିକର ଜିଲ୍ଲାର ମୂଳ ବାସିନ୍ଦା ଥିଲେ। ସେ କ୍ୟାଥେଡ୍ରାଲ୍ ଏବଂ ଜନ୍ କାନନ୍ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ। ପରେ ସେ ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ ଏବଂ ବମ୍ବେ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ରାହୁଲ ହାଭାର୍ଡ ବିଜନେସ୍ ସ୍କୁଲରୁ ଏମବିଏ ଶେଷ କରିଥିଲେ ।

୨୦୦୧ରେ ତାଙ୍କୁ ତାଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ରାହୁଲ ବଜାଜ୍‌ ସ୍ୱାଧୀନତା ସଂଗ୍ରାମୀ ଜମନାଲାଲ୍‌ ବଜାଜ୍‌ଙ୍କ ନାତି ଥିଲେ। ତାଙ୍କ ନେତୃତ୍ୱରେ ବଜାଜ୍‌ ଅଟୋର ମୋଟ୍‌ ଆୟ ୭.୧ କୋଟିରୁ ୧୨ ହଜାର କୋଟିରେ ପହଞ୍ଚିଯାଇଥିଲା। ରାହୁଲ ବଜାଜ ଙ୍କ ସମୟରେ ‘ବଜାଜ ଚେତକ’ ସ୍କୁଟର ଆରମ୍ଭ ହୋଇଥିଲା ଏବଂ ଖୁବ୍ ଶୀଘ୍ର ଦୁଇ ଚକିଆ ଯାନ ବର୍ଗରେ ସବୁଠାରୁ ଅଧିକ ଓ ଲୋକପ୍ରିୟ ସ୍କୁଟର ବ୍ରାଣ୍ଡ ହୋଇଯାଇଥିଲା । ୪୦ ବର୍ଷ ଧରି ସେ ବଜାଜ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ପଦ ସମ୍ଭାଳି ଥିଲେ । ବାଜାଜ୍‌ ଅଟୋର ଚେୟାର ମ୍ୟାନ୍‌ ପଦରୁ ସେ ଗତ ବର୍ଷ ଏପ୍ରିଲ୍‌ ମାସରେ ଅବସର ନେଇଥିଲେ ।
ପୂର୍ବରୁ ତାଙ୍କ ପତ୍ନୀଙ୍କର ପରଲୋକ ହୋଇସାରିଛି I ଆଜି ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ରାହୁଲ ବଜାଜ୍‌ଙ୍କ ପରଲୋକରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ନାରାୟଣ ରାଣେ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଦୁଃଖ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।