ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ

ଭାରତୀୟ ସଙ୍ଗୀତକାର ତଥା ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମାଙ୍କ ପରଲୋକ । ଆଜି (ମେ 10) ସକାଳେ ହୃଦଘାତ କାରଣରୁ ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସେ ଗତ ୬ ମାସ ଧରି କିଡ୍‌ନୀ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ଡାୟଲିସିସରେ ଥିଲେ।
ସେ ଦୁନିଆର ସନ୍ତୁର ବାଦକଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲେ I କଶ୍ମୀରର ଏକ ସ୍ଥାନୀୟ ବାଦ୍ୟଯନ୍ତ୍ର ଭାବେ ପରିଚିତ ସନ୍ତୁରକୁ ସେ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇଛନ୍ତି। ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତ ତଥା ସିନେ ସଙ୍ଗୀତ, ‌ସବୁ କ୍ଷେତ୍ରରେ ସେ ଛାଡ଼ି ଯାଇଛନ୍ତି ତ‌ାଙ୍କର ପଦଚିହ୍ନ।ପଣ୍ଡିତ ଶିବ କୁମାର ଶର୍ମା ଅନେକ ବଲିଉଡ ଚଳଚ୍ଚିତ୍ରର ହିଟ୍ ଗୀତରେ ସଙ୍ଗୀତ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ପଣ୍ଡିତ ଶିବ କୁମାର ଶର୍ମାଙ୍କର ସିନେମା ଜଗତ ପ୍ରତି ବଳିଷ୍ଠ ଅବଦାନ ରହିଛି। ବଲିଉଡ଼ରେ ‘ଶିବ-ହରି’ ନାମରେ ଲୋକପ୍ରିୟ ଶିବ କୁମାର ଶର୍ମା ଓ ହରି ପ୍ରସାଦ ଚୌରସିଆଙ୍କ ଯୋଡ଼ି ଅନେକ ସୁପରହିଟ୍‌ ଗୀତରେ ସଙ୍ଗୀତ ଦେଇଛନ୍ତି। ଏଥିମଧ୍ୟରୁ ସବୁଠାରୁ ଲୋକପ୍ରିୟ ଥିଲା ‘ଚାନ୍ଦ୍‌ନୀ’ ଚଳଚ୍ଚିତ୍ରର ‘ମେରେ ହାଥୋଁ ମେଁ ନୌ ନୌ ଚୁଡ଼ିଆଁ’, ଯେଉଁଥିରେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ନୃତ୍ୟୁ କରିଥିଲେ।
ସେ ଜାନୁଆରୀ ୧୩ , ୧୯୩୮ ରେ ଜାମ୍ମୁରେ ଜନ୍ମଗ୍ରହଣ କରିଥିଲେ I ପଣ୍ଡିତ ଶିବ କୁମାର ଶର୍ମା ପାଞ୍ଚ ବର୍ଷ ବୟସରେ ତବଲା ଏବଂ ସଙ୍ଗୀତ ଶିକ୍ଷା ଦେବା ଆରମ୍ଭ କରିଥିଲେ। ୧୯୯୯ ମସିହାରେ ଏକ ସାକ୍ଷାତକାର ସମୟରେ ସେ ଏହି କଥା କହିଥିଲେ I ତାଙ୍କ ପିତା ସନ୍ତୁର ବାଦ୍ୟଯନ୍ତ୍ର ଉପରେ ଅନେକ ଗବେଷଣା କରିଥିଲେ ଏବଂ ସଂତୁରର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ବଜାଇବାରେ ଶିବ କୁମାର ହେଉଛନ୍ତି ପ୍ରଥମ ଭାରତୀୟ । ଶିବ କୁମାର ଶର୍ମା ୧୩ ବର୍ଷ ବୟସରେ ସନ୍ତୁର ବଜାଇବା ଆରମ୍ଭ କରି ପିତାଙ୍କ ସ୍ୱପ୍ନକୁ ସାକାର କରିଥିଲେ I