ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି ଙ୍କ ପରଲୋକ

ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି I କଟକ ସ୍ଥିତ ନିଜ ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତ ରେ ପରଲୋକ କରିଛନ୍ତି । ସେ ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ।
ଅର୍ଥନୀତି ବିଭାଗ ପ୍ରାଧ୍ୟାପିକା ଭାବେ ଅବସର ନେଇଥିବା ବୀଣାପାଣି ମହାନ୍ତି ସାହିତ୍ୟସାଧନାରେ ବ୍ରତି ଥିଲେ। ସେ ପାଟଦେଇ, ତୃତୀୟ ପାଦ, ଅର୍ଘ୍ୟ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ, ବସ୍ତ୍ର ହରଣ, ଏକାକୀ ପରାଶର, ନବତରଙ୍ଗ, ମଧ୍ୟାନ୍ତର, ବହ୍ନିବଳୟ, ଉତ୍ତରାୟଣ ଭଳି ୩୪ଟି ଗଳ୍ପ ସଂକଳନ ଲେଖିଛନ୍ତି। ଏହାଛଡ଼ା ସୀତାର ଶୋଣିତ, ମନସ୍ୱିନୀ ଓ କୁନ୍ତି କୁନ୍ତଳା ଶକୁନ୍ତଳା ଭଳି ଉପନ୍ୟାସ ସେ ରଚନା କରିଛନ୍ତି ।
୧୯୩୬ ମସିହା ନଭେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିବା ବୀଣାପାଣିଙ୍କ ପରିବାର କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ଗ୍ରାମର ଅଟନ୍ତି। ତାଙ୍କ ପିତା ଚତୁର୍ଭୁଜ ମହାନ୍ତି ଜଣେ ସରକାରୀ କର୍ମଚାରୀ ଥିଲେ। ମା’ କୁମୁଦିନି ମହାନ୍ତିଙ୍କଠାରୁ ସେ ପ୍ରେରଣା ପାଇଥିଲେ। ସେ ୧୯୫୩ ମସିହାରେ ମାଟ୍ରିକ୍ ସମାପ୍ତ କରିଥିଲେ ଏବଂ ପରେ ଅର୍ଥନୀତି ଅଧ୍ୟୟନ କରିଥିଲେ। ୧୯୫୭ରେ ବୀଣାପାଣି ସ୍ନାତକ ଡିଗ୍ରୀ ହାସଲ ୧୯୫୯ରେ କଟକ ରେଭେନ୍ସା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ସେ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ୧୯୯୨ ମସିହାରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଅବସର ନେଇଥିଲେ।

ବୀଣାପାଣି ପ୍ରଥମେ କବିତା ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆପଣେଇ ଥିଲେ। ତାଙ୍କର ପ୍ରଥମ କବିତା ତନ୍ଦ୍ରାହତ ୧୯୫୫ମସିହାରେ ପ୍ରଜାତନ୍ତ୍ର ଖବରକାଗଜ ନାରୀମହଲରେ ପ୍ରକାଶ ପାଇଥିଲା। ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ “ଗୋଟିଏ ରାତ୍ରୀର କାହାଣୀ’’ ରବିବାର ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା। ୧୯୬୧ମସିହାରେ ତାଙ୍କ ଗଳ୍ପ “ନାଉଗଛ’’ ତାଙ୍କୁ ବହୁ ପାଠକୀୟ ସ୍ୱୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡ଼ି ସମ୍ପୂର୍ଣ୍ଣ ଭାବେ ଗଳ୍ପ ଲେଖିବାକୁ ଲାଗିଥିଲେ। ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । ନିଜର ସାହିତ୍ୟ ସାଧନା ଲାଗି ଓଡ଼ିଶା ସାହିତ୍ୟ ଏକାଡେମୀ, ବିଷୁବ ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, ଅନେକ ସମ୍ମାନ ଓ ପୁରସ୍କାରରେ ସମ୍ମାନିତ ବୀଣାପାଣି ମହାନ୍ତି।