ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବାରେ ୫-‘ଟି’ ରୂପାନ୍ତରଣ କାର୍ଯ୍ୟକ୍ରମ ସଫଳ ହୋଇଛି

ଶିକ୍ଷାକ୍ଷେତ୍ରରେ ବିକାଶ ଆଣିବା ଉଦ୍ଦେଶ୍ୟରେ ଜାତୀୟସ୍ତରୀୟ ସଂସ୍ଥା ସହ ଦୁଇଟି ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର : ଶିକ୍ଷା ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ୫-‘ଟି’ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହୋଇଛି ସଫଳ I ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି I ବିଦ୍ୟାଳୟ ଗୁଡ଼ିକର ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ନିମନ୍ତେ ଆକାଂକ୍ଷୀ କାର୍ଯ୍ୟକ୍ରମ ମାଧ୍ୟମରେ ହାଉସ୍‌ ସିଷ୍ଟମ୍‌ ଏବଂ ସ୍କୁଲ କ୍ଲବ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ମତବ୍ୟକ୍ତ କରିଛନ୍ତି ।

ଏହାକୁ ଆଉ ପାଦେ ଆଗକୁ ନେଇ ଆଜି ଦୁଇଟି ଜାତୀୟ ସ୍ତରୀୟ ସଂସ୍ଥା ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ରୂପାନ୍ତରିତ ବିଦ୍ୟାଳୟରେ ଅସ୍ପିରେସନାଲ୍‌ କରିକୁଲମ୍‌ ଆରମ୍ଭ କରିବାକୁ ଆଜି ‘ମୋ ସ୍କୁଲ ଅଭିଯାନ’ ଏବଂ ‘ମ୍ୟାଜିକ୍‌ ବସ୍‌ ଫାଉଣ୍ଡେସନ୍‌’ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି I ଏହା ଆମ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ଏବଂ ଦକ୍ଷତା ବୃଦ୍ଧିରେ ସହାୟକ ହେବ । ପାଠପଢ଼ା ସହ ସେମାନେ ଖେଳକୁଦରେ ନିଜକୁ ଦକ୍ଷ ଭାବରେ ଗଢ଼ିତୋଳି ପାରିବେ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରକାଶ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ପାଇଁ ଗଣିତ ଶିକ୍ଷାକୁ ଅଧିକ ସହଜ କରିବାକୁ ଆଜି ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ ଏବଂ ଜାତୀୟ ସ୍ତରୀୟ ଖ୍ୟାତନାମା ସଂସ୍ଥା ‘ଖାନ୍‌ ଏକାଡେମୀ’ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହା ମାଧ୍ୟମରେ ଓଡ଼ିଶାର ୩୧୫ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠରୁ
ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ଖାନ୍‌ ଏକାଡେମୀ’ ଉପାଦେୟ ଶିକ୍ଷଣ ଉପକରଣ ଯୋଗାଇଦେବ । ଏହା ସହ ଗଣିତ ଶିକ୍ଷକମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଗ୍ରହଣ କରିଥିବା ଏକାଧିକ ବିକାଶମୂଳକ ପଦକ୍ଷେପକୁ ସଫଳ କରିବାରେ ଏହି ଦୁଇ ଚୁକ୍ତିନାମା ବିଶେଷ ଭାବରେ ସହାୟକ ହେବ ।

ଏହି ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍‌, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓସେପା) ତଥା ‘ମୋ ସ୍କୁଲ ଅଭିଯାନ’ ପରିଚାଳନା ସଂଗଠନର ସଦସ୍ୟ ସଚିବ ଶ୍ରୀ ଅନୁପମ ସାହା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ‘ମୋ ସ୍କୁଲ’ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ ଜେନା, ମ୍ୟାଜିକ୍‌ବସ୍‌ ଫାଉଣ୍ଡେସନ୍‌ର ଶ୍ରୀ
ଅଜୟ ରାସ୍ତୋଗୀ, ‘ଖାନ୍‌ ଏକାଡେମୀ’ର ପ୍ରତିନିଧି ଶୁଭ୍ରା ମିତଲ ପ୍ରମୁଖ ଉପସ୍ଥିତ ଥିଲେ ।