ଦେଶର ୧୪ ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସଂସଦ ରେ ବିଦାୟ ସମ୍ବର୍ଦ୍ଧନା,ଯୋଗଦେଲେ ପ୍ରଧାନମନ୍ତ୍ରୀଙ୍କ ସମେତ ସାଂସଦ

ଦେଶ ର ୧୪ ତମ ରାଷ୍ଟ୍ରପତି କୋବିନ୍ଦଙ୍କୁ ସଂସଦ ଭବନ ସେଣ୍ଟ୍ରାଲ୍ ହଲରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ତାଙ୍କର କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେବାକୁ ଥିବା ବେଳେ, ଏହାର ଅବ୍ୟବହିତ ପୂର୍ବରୁ ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ମିଳିତ ଭାବେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖ । ବିଗତ ୫ ବର୍ଷର ଅନୁଭୂତି ଓ ଉପଲବ୍ଧିକୁ ମନେ ପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ ରାଷ୍ଟ୍ରପତି କୋବିନ୍ଦ। ବିଦାୟ ଅଭିଭାଷଣ ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି କି ୫ ବର୍ଷ ପୂର୍ବେ ଠିକ ଆଜିର ଦିନରେ ସେ ଭାରତର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ତାଙ୍କ ହୃଦୟରେ ସମସ୍ତ ସାଂସଦଙ୍କ ପ୍ରତି ସ୍ୱତନ୍ତ୍ର ସ୍ଥାନ ଥିବା କଥା ସେ କହିଛନ୍ତି । ଦେଶର ସର୍ବୋଚ୍ଚ ପଦରେ ବସିବାର ସୁଯୋଗ ଦେଇଥିବାରୁ ଦେଶର ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାସହ ‘ଆଜାଦୀ କା ଅମୃତ ମହୋତ୍ସବ’ ଓ କୋଭିଡ-୧୯ ବିରୋଧରେ ରେକର୍ଡ ଟିକାକରଣ ପାଇଁ ସେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭବ୍ୟ ନୈଶ ଭୋଜି ଦେଇ ଆପ୍ୟାୟିତ କରିଥିଲେ।