ନନ୍ଦନକାନନରେ ଆତଙ୍କ,ସଫାରୀରୁ ଖସିଗଲା ମହାବଳ ବାଘ

ଆଜି ସଫାରୀରୁ ମହାବଳ ବାଘ ସୂରଜ ଖସି ଯାଇଥିଲା Iଏହି ଖବର ପ୍ରଚାରିତ ହେବା ପରେ ନନ୍ଦନ କାନନରେ ଆଜି କିଛି ସମୟ ପାଇଁ ଖେଳି ଯାଇଥିଲା ଆତଙ୍କ। ତେବେ କିଛି ସମୟ ମଧ୍ୟରେ କର୍ମଚାରୀ ଖୋଜାଖୋଜି କରି ସୂରଜକୁ ସେହି ସଫାରୀ ଭିତରୁ ହିଁ ପାଇଥିଲେ ବୋଲି ଜଣାପଡ଼ିଛି।
ସଫାରୀରେ ଥିବା ବାଘଙ୍କୁ ଖାଇବାକୁ ଦେବା ପାଇଁ ନିୟୋଜିତ କର୍ମଚାରୀ ଯାଇଥିଲେ। ମାତ୍ର ଜାଲିରେ ଛିଦ୍ର ହୋଇଥିବା ଦେଖି ବାଘ ବାହାରି ଯାଇଥିବା ସନ୍ଦେହ କରିଥିଲେ। ଏକ୍ସପର୍ଟ ଟିମ୍‌ଙ୍କ ଦ୍ୱାରା ଖୋଜାଖୋଜି କରିବା ପରେ ପ୍ରାୟ ୧୦ରୁ ୧୫ ମିନିଟ୍‌ ମଧ୍ୟରେ ବାଘକୁ ଠାବ କରାଯାଇଥିଲା। ଏବେ ସ୍ଥିତି ସ୍ୱାଭାବିକ ଥିବା କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।
ବାଘ ସଫାରୀରୁ ଗାଏବ ଥିବା ଖବର ପ୍ରଚାରିତ ହେବା ପରେ ନନ୍ଦନକାନନରେ ଉପସ୍ଥିତ ଥିବା ପର୍ଯ୍ୟଟକ ବେଶ୍‌ ଡରି ଯାଇଥିଲେ। ହେଲେ ତତ୍‌କ୍ଷଣାତ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।
ବାଘ ଭଳି ପ୍ରାଣୀଙ୍କ କ୍ଷେତ୍ରରେ ଏଭଳି ଆଚରଣ ସାମାନ୍ୟ । ଜଙ୍ଗଲି ଜନ୍ତୁ ହୋଇଥିବାରୁ କେତେବେଳେ କିପରି ଆଚରଣ ଦେଖାଇବ, ତାହା ଆକଳନ କରିବା କଷ୍ଟକର ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।
ସୂଚନାଯୋଗ୍ୟ, କରୋନା କଟକଣା ଯୋଗୁ ପୂର୍ବରୁ ନନ୍ଦନକାନନ ଶନିବାର ଓ ରବିବାର ବନ୍ଦ ରହୁଥିଲା। ହେଲେ ଏବେ ରାଜ୍ୟ ସରକାର ସପ୍ତାହାନ୍ତ ଶଟଡାଉନ୍‌ ଉଠାଇ ଦେଇଥିବା ବେଳେ ନନ୍ଦନକାନନ ମଧ୍ୟ ଏହି ୨ ଦିନ ଖୋଲା ରହିବ। ଆଉ ପୂର୍ବ ପରି ପ୍ରତି ସପ୍ତାହର ସୋମବାର ଦିନ ନନ୍ଦନକାନନ ବନ୍ଦ ରହିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ।

Comments (0)
Add Comment