ମରକ୍କୋରେ ଭୟଙ୍କର ଭୂକମ୍ପ : ୨୯୬ ଜଣ ମୃତ୍ୟୁ ସହ ୧୬୩ ଜଣ ଆହତ

ମରକ୍କୋରେ ଭୟଙ୍କର ଭୂକମ୍ପ l ଭୂକମ୍ପରେ ଥରିଲା ବଡ଼ ବଡ଼ କୋଠା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଛି ୬.୮ । ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୨୯୬ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହା ସହ ୧୬୩ରୁ ଅଧିକ ଆହତ ହୋଇଛନ୍ତି l

ଶୁକ୍ରବାର ବିଳମ୍ବିତ ରାତିରେ ମରକ୍କୋରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି । ଭୁକମ୍ପରେ ବଡ଼ ବଡ଼ କୋଠାବାଟି ଥରିବାକୁ ଆରମ୍ଭ କରିଥିଲା l ଲୋକମାନେ ଭୟଭୀତ ହୋଇ ରାସ୍ତାକୁ ବାହାରି ଆସିଥିଲେ l ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଛି । ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ଅତି କମରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଆହୁରି ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୧୮.୫ କିଲୋମିଟର ଗଭୀରତାରେ, ପର୍ଯ୍ୟଟନ ସହର ମର୍କେଶ ସହରର ୭୧ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା । ସେଠାକାର ସ୍ଥାନୀୟ ସମୟ ରାତି ପ୍ରାୟ ୧୧.୧୧ ସମୟରେ ଏଠାରେ କମ୍ପନ ଅନୁଭୂତ ହୋଇଥିଲା । କିଛି ସମୟ ପରେ, ଏହି ସ୍ଥାନଗୁଡିକରେ ଭୂକମ୍ପର ପର ସ୍ଥିତି ମଧ୍ୟ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୯ ରେ ମାପ କରାଯାଇଥିଲା ।

ମରକ୍କୋର ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଭୂକମ୍ପରେ ସବୁଠାରୁ ବଡ କ୍ଷତି ସହର ବାହାରେ ଥିବା ପୁରୁଣା ବସ୍ତିରେ ଘଟିଛି । ମରକ୍କୋର ଅନେକ ନାଗରିକ ସୋସିଆଲ ମିଡିଆରେ ଏହା ସହ ଜଡିତ ଭିଡିଓ ଏବଂ ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ କୋଠାଗୁଡ଼ିକ ଭାଙ୍ଗିବା ପରେ ଧୂଳିର ମେଘରେ ପରିଣତ ହେବାର ଦେଖାଯାଏ । ବିଶେଷକରି ମର୍କେଶ ସହର ଯାହା ୟୁନେସ୍କୋରୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପାଇଛି ସେଠାରେ ଅନେକ ପର୍ଯ୍ୟଟକ ଭୂକମ୍ପ ପରେ ନିଜ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିବା ଲୋକଙ୍କ ଭିଡିଓ ମଧ୍ୟ ପୋଷ୍ଟ ହୋଇଥିବାର ଦେଖିବାକୁ ମିଳିଛି । ଏହି ଘଟଣା ପରେ ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଛି ।