ମତଦାନ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଉତ୍ତେଜନା

ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ମତଦାନ ଆରମ୍ଭରୁ ଭଦ୍ରକ ଜିଲ୍ଲା ଧାମନଗରରେ ଉତ୍ତେଜନା ଦେଖିବାକୁ ମିଳିଛି । ଫଳରେ କଟସାହିର ୧ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି । ବାଲଟ ପେପର ନେଇଯାଇଛନ୍ତି ଦୁର୍ବୃତ୍ତ । ବୁଥ ଭିତରେ ମହିଳା ଭୋଟରଙ୍କୁ ମାଡ଼ ମାରି ଫେରାର ମାରିଥିବା ଅଭିଯୋଗ ହୋଇଛି । ଉତ୍ତେଜନା ପରେ ଘଟଣାସ୍ଥଳରୁ ୨ ଜଣଙ୍କୁ ଉଠାଇନେଇଛି ପୋଲିସ । ଉତ୍ତେଜନା ବଢ଼ିବାରୁ ମତଦାନ ବନ୍ଦ ରହିଛି ।
ତେବେ ରାଜ୍ୟର ଆଜି ୨୫ଟି ଜିଲ୍ଲା ଓ ୪୮ଟି ବ୍ଲକରେ ମତଦାନ ଆରମ୍ଭ ହୋଇଛି । ଏହା ସହ ୧୩୧ ଜିଲ୍ଲା ପରିଷଦ ଜୋନ୍, ୯୭୫ ପଞ୍ଚାୟତ ପାଇଁ ଚାଲିଛି ମତଦାନ । ଆଜି ୧୩ ହଜାର ୫୧୪ ବୁଥରେ ପ୍ରାୟ ୪୧ ଲକ୍ଷ ୮୮ ହଜାର ୩୮୨ ଭୋଟର ମତଦାନ ସାବ୍ୟସ୍ତ କରିବେ । ମତଦାନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି ।

ଗୋପ ରେ ନିର୍ବାଚନୀ ହିଂସା
କୋଣାର୍କ ଗୋପ ବଡ଼ତରା ପଞ୍ଚାୟତ ଗଡ଼ରୂପାସରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଜଣଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ନିଆଳିରେ ବୁଥ ଦଖଲ କରି ଭୋଟ ବାକ୍ସ ପାଣିରେ ଫୋପାଡ଼ିଲେ
କଟକ ଜିଲ୍ଲା ନିଆଳି ବ୍ଲକରେ ପୋଖରୀଗାଁ ପଞ୍ଚାୟତରେ ଦେଖିବାକୁ ମିଳିଛି ବ୍ୟାପକ ନିର୍ବାଚନୀ ହିସାଂ।ବୁଥ କୁ ଜବର ଦାଖଲ କରି ଜବରଦଖଲକାରୀ ମନ ଇଛା ଭୋଟ ଦେବା ସହ ଠି ଭୋଟ ବାକ୍ସକୁ ପାଣିରେ ଫୋପାଡ଼ିଲେ। କେବଳ ଏତିକି ନୁହେଁ, କେତେକ ସ୍ଥାନରେ ବାଲାଟ ବକ୍ସ ଭିତରେ ପାଣି ବି ପଶାଇ ଦେଇଥିବା ଦେଖାଯାଇଛି I
ନିଆଳି ବ୍ଲକ ପୋଖରୀ ଗାଁ ପଞ୍ଚାୟତରେ ୨୩ଟି ବୁଥ୍ ଥିବା ବେଳେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ । ତେବେ ପ୍ରଥମେ ୧ରୁ ୫ ନଂ ବୁଥ୍ ଓ ୨୦ ଓ ୨୧ ନମ୍ବର ବୁଥ୍କୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଜବରଦଖଲକାରୀ ନିଜ କବଜାକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନେ ବୁଥ୍କୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ନିଜ କବଜାରେ ରଖି ମନଇଚ୍ଛା ଭୋଟଦାନ କରିଥିବା କହିଥିଲେ ଗ୍ରାମବାସୀ।
ଏହାପରେ ସେମାନେ ୧୧ରୁ ୧୯ ନମ୍ବର ବୁଥ୍ରେ ପ୍ରବେଶ କରି ବହୁ ଭୋଟ ବାକ୍ସକୁ ପାଣିରେ ଫୋପାଡ଼ିଛନ୍ତି। କେବଳ ସେତିକି ନୁହେଁ, ବହୁ ବାକ୍ସରେ ପାଣି ବି ପୂରାଇ ଦେଇଛନ୍ତି। ଏପରିକି ଜବରଦଖଲକାରୀଙ୍କ ଆକ୍ରମଣରେ ଜଣେ ଏଜେଣ୍ଟ ଆହତ ହୋଇଛନ୍ତି।
ସମଗ୍ର ପଞ୍ଚାୟତରେ ଆଉ ଥରେ ନିର୍ବାଚନ ଦାବିରେ ପୋଖରୀଗାଁ ଓ ପୋଳସରା ଛକରେ ଉତ୍ତ୍ୟକ୍ତ ଲୋକ ରାସ୍ତାରେ ବସି ରହିଛନ୍ତି।

ଭୋଟ୍ ବେଳେ ବୁଲିଲା ଖଣ୍ଡା
ଭଦ୍ରକ ଜିଲ୍ଲା ଧାମନଗର ଅର୍ଜୁନପୁର ପଞ୍ଚାୟତରେ ନିର୍ବାଚନୀ ହିଂସା। କେଉଁଠି ଦୁର୍ବୃତ୍ତମାନେ ଏଜେଣ୍ଟକୁ ମାରି ବୁଥରୁ ବାହାର କରି ଦେଲେ ତ ଆଉ କେଉଁଠି ବୁଥରେ ରିଗିଂ ହୋଇଥିବା ଅଭିଯୋଗ ହୋଇଛି। ଏଥିସହ ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିବା ଜଣାପଡିଛି।
୩, ୪ ଓ ୮ ନମ୍ବର ବୁଥର ଏଜେଣ୍ଟଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରି ବାହାର କରି ଦେଇଥିବା ବେଳେ ୬ ଓ ୭ ନମ୍ବର ବୁଥରେ ରିଗିଂ କରିଥିବା ଅଭିଯୋଗ ହୋଇଛି। ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାପରେ ପୁଣି ଭୋଟ ଦେଇଥିଲେ ଲୋକେ।
୪ ନମ୍ବର ବୁଥର ଏଜେଣ୍ଟ ଅମର ବିଶ୍ୱାଳ କହିଛନ୍ତି, ମୋତେ ମାଡ଼ ମାରି ମୋ ମୁହଁକୁ ଫୁଲାଇ ଦେଇଛନ୍ତି। ମୋତେ ବନ୍ଧୁକ ଓ ଖଣ୍ଡା ଦେଖାଇ ଏଠୁ ପଳାଇ ଯିବାକୁ କହିଥିଲେ। ନହେଲେ ହାଣିକି ଫୋପାଡି ଦେବେ ବୋଲି ଧମକ ଦେଇଥିଲେ।