ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପ୍ରଭାବରେ ବଢିବ ଦିନ ତାପମାତ୍ରା। ଆଭ୍ୟନ୍ତରୀଣ ଓଡିଶାରେ ତାତି ସାଙ୍ଗକୁ ବହିବ ଝାଞ୍ଜି। ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ହିଟ୍ ୱେଭ ନେଇ ବିଭାଗ ସତର୍କ କରାଇଛି। ଆଜିଠାରୁ ମାର୍ଚ୍ଚ ୨୦ ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆଭ୍ୟନ୍ତରୀଣରୁ ଉପକୂଳ ସବୁଠି ଭୀଷଣ ଗରମ ଅନୁଭୂତ ହେଉଛି। ବିଭିନ୍ନ ସ୍ଥାନରେ ପାରଦ ୩୮ ଡିଗ୍ରୀ ଯାଏ ପହଞ୍ଚିଲାଣି। ସେପଟେ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା କରାଯାିଥିବା ଆକଳନ ଅନୁଯାୟୀ ଆଗାମୀ ଦୁଇ ସପ୍ତାହ ଅର୍ଥାତ୍ ୭ରୁ ୨୦ ମାର୍ଚ୍ଚ ଯାଏ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଛି। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ୩୩% ଯାଏ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଥିବାର ଦର୍ଶାଯାଇଛି। ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ରାଜ୍ୟରେ ଦିନ ତାପମାତ୍ରା ଆହୁରି ବୃଦ୍ଧିପାଇବ। ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇବ। ଫଳରେ ତାପମାତ୍ରା ୪୦ ଡିଗ୍ରୀ ପହଞ୍ଚିବ। ଖାଲି ଦିନ ନୁହେଁ ରାତି ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ। ରାତି ତାପମାତ୍ରା ୫ଦିନ ମଧ୍ୟରେ ୩ ଡିଗ୍ରୀ ବୃଦ୍ଧି ପାଇଁବ। ଫଳରେ ରାତିରେ ବି ଗରମ ଅନୁଭୂତ ହେବ। ୨୦୨୩ ତୁଳନାରେ ୨୦୨୪ ରେ ଅଧିକ ତାପମାତ୍ରା ସହ ରେକର୍ଡ ବ୍ରେକ୍ ତାତି ହୋଇଥିଲା। ଚଳିତ ବର୍ଷ ଗତବର୍ଷଠାରୁ ଆହୁରି ଅଧିକ ତାତି ବଢ଼ିବ ବୋଲି ଆକଳନ ହେଉଛି। ମାର୍ଚ୍ଚ ମାସ ଆରମ୍ଭରୁ ପ୍ରବଳ ଗରମରେ ରାଜ୍ୟବାସୀ କଲବଲ ହେଉଥିବାବେଳେ ମାର୍ଚ୍ଚ ୨୦ ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଗୁରୁବାର ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି, ଯେତେବେଳେ ଭୁବନେଶ୍ୱରରେ ସକାଳ ୮:୩୦ ସୁଦ୍ଧା ସର୍ବାଧିକ ତାପମାତ୍ରା ୩୬.୪ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।