ସ୍କୁଲ ସ୍ତରରୁ ଦିଆଯିବ ଅଲିମ୍ପିକ୍ସ ଶିକ୍ଷାଦାନ : ପ୍ରଥମେ ୯୦ ଟି ସ୍କୁଲ ରେ ଆରମ୍ଭ ହେବ

ସ୍କୁଲ ସ୍ତରରୁ ଆରମ୍ଭ ହେବ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି । ଅଲିମ୍ପିକ୍ସ ସମ୍ପର୍କିତ ଶିକ୍ଷା ଏଣିକି ସ୍କୁଲରେ ହିଁ ଦିଆଯିବ । ଏଭଳି କିଛି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଯାହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ଟି ସ୍କୁଲରେ ଆରମ୍ଭ ହେବ ଅଲିମ୍ପିକ୍ସ ଶିକ୍ଷାଦାନ । ଚୀନ ଓ ଜାପାନର ଖେଳାଳୀଙ୍କ ଭଳି, ଓଡିଶାରେ ବି ଖେଳାଳୀଙ୍କୁ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହା ଦେଶରେ ନୂତନ ଅଲିମ୍ପିକ୍‍ ଆନ୍ଦୋଳନର ଆରମ୍ଭ ହେବ। ସେ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ପିଲାମାନେ ଉତ୍କର୍ଷତା, ବନ୍ଧୁତା ଏବଂ ସମ୍ମାନର ଅଲିମ୍ପିକ୍‍ ମୂଲ୍ୟବୋଧରୁ ଉପକୃତ ହେବେ। ସେହିପରି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କହିଥିଲେ ଯେ ଏହି ଯୋଜନା ପିଲାଙ୍କ ଜୀବନରେ ପରିବର୍ତନ ଆଣିବ। ଇଂଟରନ୍ୟାସନାଲ ଅଲମ୍ପିକ୍‍ କମିଟି (ଆଇଓସି) ଏଜୁକେସନ୍‍ କମିଶନର ଅଧ୍ୟକ୍ଷା ମିକେଲା ସି ଜୋରସ୍କି କହିଥିଲେ ଯେ କ୍ରୀଡା ହେଉଛି ପରିବର୍ତନର ଏକ ଶକ୍ତିଶାଳୀ ସାଧନ ଯାହା ଆନୁଷ୍ଠାନିକ ଶିକ୍ଷା ଆଣିପାରେ ନାହିଁ। ଅଲିମ୍ପିକ୍ସ ଆନ୍ଦୋଳନ ସମାଜ ପାଇଁ ଅବଦାନ ଦେଇପାରେ। ଏହି ପ୍ରୋଗ୍ରାମ୍‍ ସ୍କୁଲ୍‍ ସିଲାବସରେ ସାମିଲ ହେବ ବୋଲି ସେ କହିଥିଲେ।

ଏହି ଯୋଜାନା ଅନ୍ତର୍ଗତ ରାଜ୍ୟରେ ତୃଣମୂଳ ସ୍ତରରୁ ପିଲାଙ୍କୁ ଅଲିମ୍ପିକ୍ସ ସମ୍ପର୍କିତ ଶିକ୍ଷା ପ୍ରଦାନ କରାଯିବ । ସାରା ଦେଶରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା ଆରମ୍ଭ କରିଛି । ଯେଉଁଥିରେ ସ୍କୁଲ ପିଲାଙ୍କୁ ଅଲିମ୍ପିକ୍ସ ମୂଲ୍ୟବୋଧ ବିଷୟରେ ଅବଗତ କରାଯିବ । ବିଭିନ୍ନ ଗୋଷ୍ଠୀ କ୍ରୀଡା ପାଇଁ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯିବ ।