ଛାତ୍ରଙ୍କ ମାଡ଼ରେ ଅଧ୍ୟାପକଙ୍କ ମୃତ୍ୟୁ

ଝାରସୁଗୁଡା : କଲେଜ ଛାତ୍ରଙ୍କ ମାଡ଼ରେ ଅଧ୍ୟାପକଙ୍କ ମୃତ୍ୟୁ । ମୃତ ଅଧ୍ୟାପକ ଜଣଙ୍କ ହେଲେ ଝାରସୁଗୁଡ଼ା ଏଚ.କଟାପାଲି କଲେଜର ଅମିତ କୁମାର ବାରିକ । ଗତ ଫେବୃଆରୀ ମାସରେ ଛାତ୍ର ରାଜେଶ କୁମାର ସହିସ ଅଧ୍ୟାପକ ଅମିତ କୁମାରଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲା I ଛାତ୍ର ଜଣଙ୍କ ଅଧ୍ୟାପକଙ୍କୁ ମାଡ଼ ମାରିବା ସମୟର ସିସିଟିଭି ଭିଡିଓ ରୁ ଜଣା ପଡିଥିଲା I ଭିଡ଼ିଓରେ ଅଧ୍ୟାପକଙ୍କୁ ଛାତ୍ର ମାଡ଼ ମାରିବା ପରେ ସେହିଠାରେ ହିଁ ପଡ଼ିଯାଇଥିଲେ ଅଧ୍ୟାପକ । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସମୟରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ୮ ମାସ ପରେ ଅଧ୍ୟାପକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ କୌଣସି କଥାକୁ ନେଇ ଛାତ୍ର ରାଜେଶ କୁମାର ସହିସଙ୍କୁ ଗତ ଫେବୃଆରୀ ମାସରେ ଅଧ୍ୟାପକ ଆକଟ କରିବାରୁ ଛାତ୍ର ଜଣଙ୍କ ତାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ । ଏହାପରେ ଅଧ୍ୟାପକଙ୍କୁ ଉଦ୍ଧାର କରି ତାଙ୍କୁ ପ୍ରଥମେ ଝାରସୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ୮ ମାସ ଧରି ଚିକିତ୍ସାଧୀନ ରହିବା ପରେ ଗତକାଲି ଅମିତଙ୍କର ମୃତ୍ୟୁ ଘଟିଛି।ଏନେଇ ଥାନାରେ ଅଭିଯୋଗ ହେବା ପରେ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଛାତ୍ର ଜଣକ ଜାମିନରେ ମୁକୁଳିଛନ୍ତି । ହେଲେ ଅଧ୍ୟାପକଙ୍କ ମୃତ୍ୟୁ ପରେ ଏବେ ଛାତ୍ରଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇପାରେ ବୋଲି କୁହାଯାଉଛି ।