କିଟ୍‍ ଟିବିଆଇକୁ ବାୟୋସ୍ପେକ୍‍ଟ୍ରମ୍‍ ଏକ୍‍ସେଲେନ୍‍ସ ପୁରସ୍କାର

ଭୁବନେଶ୍ୱର, ୧ । ୭: କିଟ୍‍ ଟେକ୍ନୋଲୋଜି ବିଜିନେସ୍‍ ଇନ୍‍କ୍ୟୁବେଟର୍‍ (କିଟ୍‍-ଟିବିଆଇ)କୁ ସମ୍ମାନଜନକ ବାୟୋସ୍ପେକ୍‍ଟ୍ରମ୍‍ ଏକ୍‍ସେଲେନ୍‍ସ ପୁରସ୍କାର ୨୦୨୧-୨୨ ପ୍ରଦାନ କରାଯାଇଛି । ଦେଶର ସମସ୍ତ ଘରୋଇ ଓ ସରକାରୀ ଇନ୍‍କ୍ୟୁବେଟର ମଧ୍ୟରେ କିଟ୍‍ ଟିବିଆଇ ପ୍ରଥମ ସ୍ଥାନରେ ରହି ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛି । ନୂଆଦିଲ୍ଲୀଠାରେ ଶୁକ୍ରବାର କିଟ୍‍ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା କିଟ୍‍ ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶ ମହାନିର୍ଦ୍ଦେଶକ ପ୍ରଫେସର ମୃତ୍ୟୁଞ୍ଜୟ ସୁଆର ଏହି ପୁରସ୍କାର ଗ୍ରହଣ କରିଥିଲେ । କିଟ୍‍ ଟିବିଆଇ ସର୍ବାଧିକ ୨୩.୦୧ ନମ୍ବର ପାଇ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଙ୍ଗାଲୋରସ୍ଥିତ ସରକାରୀ ଇନ୍‍କ୍ୟୁବେଟର ସି-କ୍ୟାମ୍ପ ୧୩.୮୪ ନମ୍ବର ପାଇ ଦ୍ୱିତୀୟ ଏବଂ ସିଏସ୍‍ଆଇଆର-ଏନ୍‍ସିଏଲ୍‍ର ଭେଞ୍ଚର ସେଣ୍ଟର ୧୩.୨ ନମ୍ବର ପାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବାୟୋଟେକ୍ନୋଲୋଜି ଓ ଜୀବ ବିଜ୍ଞାନ ଶିଳ୍ପ ଏବଂ ବାୟୋ-ଇନ୍‍କ୍ୟୁବେଟର୍‍କୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବର୍ଷ ବାୟୋସ୍ପେକ୍‍ଟ୍ରମ୍‍ ର‌୍ୟାଙ୍କିଙ୍ଗ୍‍ କରାଯାଇଥାଏ । କିଟ୍‍ ଟିବିଆଇର ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ପ୍ରଫେସର ସୁଆର ଏବଂ କିଟ୍‍ ଟିବିଆଇ ଟିମ୍‍କୁ ଅଭିନନ୍ଦନ ଜଣାଇଛନ୍ତି । ୨୦୧୨ ମସିହାରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିସ୍‍ଷ୍ଟାନ୍‍ସ କାଉନ୍‍ସିଲ୍‍ (ବିଆଇଆରଏସି) ସହଯୋଗରେ ପ୍ରତିଷ୍ଠିତ କିଟ୍‍ ଟିବିଆଇ ଓଡ଼ିଶା ସମେତ ଦେଶର ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳରେ  ବାୟୋ-ଏଣ୍ଟରପ୍ରେନର୍‍ସିପ୍‍କୁ ପ୍ରୋତ୍ସାହନ ଓ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି । କିଟ୍‍ ଟିବିଆଇ ସମଗ୍ର ଦେଶରେ ୨୦୦ରୁ ଊର୍ଦ୍ଧ୍ୱ ବାୟୋଟେକ୍‍ ଓ ଲାଇଫ୍‍ସାଇନ୍‍ସ ଆଧାରିତ ଷ୍ଟାର୍ଟଅପ୍‍କୁ ସଫଳତାର ସହ ସହଯୋଗ କରିଛି । ଏହାଛଡ଼ା ଏକ ସଶକ୍ତ ଷ୍ଟାର୍ଟଅପ୍‍ ଇକୋସିଷ୍ଟମ ବିକଶିତ କରିବାରେ କିଟ୍‍ ଟିବିଆଇର ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ରହିଆସିଛି ।