ପ୍ରଧାନମନ୍ତ୍ରୀଙ୍କ ରତ୍ନଭଣ୍ଡାର ନିଶାନା

କନ୍ଧମାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦିଙ୍କ ଓଡିଶା ୨ ଦିନିଆ ଗସ୍ତର ଆଜି ହେଉଛି ଦ୍ବିତୀୟ ଦିନ । ଆଜି ଅର୍ଥାତ ଶନିବାର ଫୁଲବାଣୀର ବିଜୟ ସଂକଳ୍ପ ସମାବେଶ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି। ସେଠାରେ ପହଞ୍ଚିବା ପରେ  ପ୍ରଥମେ ‘ଜୟ ଜଗନ୍ନାଥ’ ଓ ‘ଜୟ ଶ୍ରୀରାମ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ଏହାପରେ ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ହୋଇଥିବା ମେଗା ରୋଡ ଶୋ’ ବିଷୟରେ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ମୋଦି ନିଜ  ଅଭିଭାଷଣ ରେ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି ଏବଂ ଭିକ୍ଷା ମାଗି ଚଳୁଥିବା ତୁଳା ବେହେରାଙ୍କ ପ୍ରଶଂସା କରିଛନ୍ତି ।

ମୋଦି କହିଛନ୍ତି ମୋତେ ୨ ମା’ ଆଜି ଆଶୀର୍ବାଦ କଲେ, କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି । ଏହା ଦେଖିଲା ପରେ ଲାଗୁଛି ପୂରା ଓଡ଼ିଶାର ଆଶୀର୍ବାଦ ମୋ ପ୍ରତି ଅଛି । ଭୁବନେଶ୍ବରରେ କାଲି ଯେଉଁ ଦୃଶ୍ୟ ଥିଲା, ଅବର୍ଣ୍ଣନୀୟ । ହଜାରହଜାର ଲୋକ ମୋତେ ଆଶୀର୍ବାଦ କଲେ । ଏଥିପାଇଁ ମୁଁ ଓଡ଼ିଶା ଲୋକଙ୍କ ପାଖରେ ଋଣୀ । ଏ ଋଣ ମୁଁ ଦେଶସେବା କରି ପରିଶୋଧ କରିବି , ଓଡ଼ିଶାକୁ ବିକଶିତ ରାଜ୍ୟ କରି ଋଣ ପରିଶୋଧ କରିବି ବୋଲି କହିଛନ୍ତି ମୋଦି । ଅଭିଭାଷଣ ସମୟରେ ସେ ବିଜେଡିକୁ ରତନଭଣ୍ଡାର ପ୍ରସଙ୍ଗ ନେଇ ଘେରିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା  । ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ୬ ବର୍ଷ ହେଲାଣି ମିଳୁନି  ।

ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସମ୍ଭାଳି ପାରୁନାହାନ୍ତି ରାଜ୍ୟ ସରକାର  । ଚାବି କୁଆଡ଼େ ଗଲା, ଲୋକଙ୍କର ଜାଣିବା ଅଧିକାର ଅଛି  । ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି । ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା  । ଡୁପ୍ଲିକେଟ ଚାବିରେ କେହି ଖୋଲୁନଥିଲା ତ, ରତ୍ନ ନେଉନଥିଲା ତ ଏହିଭଳି ସିଧାସଳଖ  ରାଜ୍ୟ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ମୋଦି । ଚାବି ହଜିବା ଠାରୁ ଡୁପ୍ଲିକେଟ ଚାବି ଅଧିକ ଗମ୍ଭୀର ବିଷୟ  । ଏଥିପାଇଁ କମିଶନ ବସିଲା, କମିଶନ ରିପୋର୍ଟ ସାର୍ବଜନୀନ ହେଲାନି  । ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ କାହିଁକି ଭୀତତ୍ରସ୍ତ  । ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି କହି ରାଜ୍ୟ ସରକାରଙ୍କୁ ସିଧାସଳଖ ହାମଲା କରିଛନ୍ତି ମୋଦି। ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦା ପ୍ରତିଷ୍ଠା ହେବ ବୋଲି ମୋଦି କହିଛନ୍ତି ।