ଅରୁଣସ୍ତମ୍ଭ ରେ ଫାଟକୁ ନେଇ ଚର୍ଚ୍ଚା

ପୁରୀ,୨୮/୦୮(ପି.ଏନ.ଏ): ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ କୁ ନେଇ ଚର୍ଚ୍ଚା I ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ ଅରୁଣ ସ୍ତମ୍ଭରେ ଏବେ କିଭଳି ଭାବେ ଏହି ଫାଟ ସୃଷ୍ଟି ହୋଇଛି ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଭବିଷ୍ୟତରେ ଏହି ଫାଟ ଅରୁଣ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ଅରୁଣ ସ୍ତମ୍ଭଟି ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ ଏହି ସ୍ତମ୍ଭଟି ଭୂମି ଠାରୁ ପ୍ରାୟ ୧୭ ଫୁଟ ଉଚ୍ଚରେ ପୂର୍ବ ମୁହାଁ ହୋଇ ଠିଆ ହୋଇଛି। ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ରାଜା ଦିବ୍ୟସିଂହ ଦେବ କୋଣାର୍କରୁ ଏହି ସ୍ତମ୍ଭକୁ ଆଣି ସିଂହଦ୍ୱାର ସମ୍ମୁଖରେ ପ୍ରତିଷ୍ଠା କରାଇଥିଲେ। ଏହି ସ୍ତମ୍ଭ ଉପରେ ସୂର୍ଯ୍ୟଙ୍କ ସାରଥୀ ଅରୁଣ ବିରାଜମାନ କରିଛନ୍ତି। ଶ୍ରୀମନ୍ଦିରକୁ ମ‌ହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତମାନେ ପ୍ରଥମେ ଅରୁଣ ସ୍ତମ୍ଭକୁ ଦର୍ଶନ କରିବା ପରେ ସିଂହଦ୍ଵାର ଦେଇ ଭିତରକୁ ପ୍ରବେଶ କରିଥାନ୍ତି।

ତେବେ ଏହି ସ୍ତମ୍ଭର ଫାଟ ମଝିରେ ତିନଟି ସ୍ଥାନରେ ଗାତ ସୃଷ୍ଟି ହୋଇଥିବାରୁ ଭକ୍ତଙ୍କ ମହଲରେ ତନାଘନା ଚାଲିଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଆସନ୍ତାକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି। ଅରୁଣ ସ୍ତମ୍ଭରେ ଫାଟ କିମ୍ବା ଗାତ ଥିବା ଯଦି ଜଣାପଡେ ତେବେ ତୁରନ୍ତ ଏହାର ମରାମତି କରାଯିବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର।