ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ନିଉଜିଲାଣ୍ଡ କୁ ହରାଇ ଫାଇନାଲ୍‌ରେ ପାକିସ୍ତାନ

ସିଡନୀ : ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ପ୍ରଥମ ସେମିଫାଇନାଲ ଖେଳାଯାଇଛି I ଆଜିର ସେମି ଫାଇନାଲ୍ ମ୍ୟାଚ୍‌ରେ ପାକିସ୍ତାନ ଦଳ ନ୍ୟୁଜିଲ୍ୟାଣ୍ଡକୁ ୭ ୱିକେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ଏହି ମ୍ୟାଚ୍‌ରେ ଯେଉଁ ଦଳ ଜିତିବ, ସେ ଫାଇନାଲରେ ପାକିସ୍ତାନ ସହ ଖେଳିବ। ୨୦୦୯ରେ ଶେଷଥର ପାଇଁ ଫାଇନାଲକୁ ଯାଇ ଟି-୨୦ ବିଶ୍ୱକପ ବିଜେତା ହୋଇଥିଲା ପାକିସ୍ତାନ। ଏହାପର ଠାରୁ ସେ କେବେ ବି ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିପାରି ନଥିଲା।

ଆଜି ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୨ ରନ୍ କରିଥିଲା। ଦଳ ପକ୍ଷରୁ ଡାରିଲ୍ ମିଚେଲ ଅପରାଜିତ ରହି ସର୍ବାଧିକ ୫୩ ରନ୍ କରିଥିଲେ। ସେ ୩୫ଟି ବଲ୍‌ରୁ ୩ଟି ଚୌକା ଓ ଗୋଟିଏ ଛକା ସହାୟରେ ସେ ଏହି ରନ୍ ସଂଗ୍ରହ କରିଥିଲେ।

ଅଧିନାୟକ କେନ୍ ୱିଲିୟମସନ୍ ୪୨ଟି ବଲ୍‌ରୁ ୪୬ ରନ୍ କରିଥିଲେ। ତା’ ମଧ୍ୟରେ ମାତ୍ର ଗୋଟିଏ ଚୌକା ଓ ଛକା ରହିଛି। ଅନ୍ୟମାନଙ୍କ ମଧ୍ୟରେ ଓପନର ଫିନ୍ ଆଲେନ୍ ୪ ରନ୍ କରିଥିବା ବେଳେ ଡେଭନ କନୱେ ୨୧ (୨୦ ବଲ୍‌) ଓ ଗ୍ଲେନ୍ ଫିଲିପ୍ସ ୬ ରନ୍ କରିଥିଲେ। ଜେମ୍‌ସ ନୀଶାମ ୧୨ଟି ବଲ୍‌ରୁ ୧୬ ରନ୍ କରି ଅପରାଜିତ ରହିଥିଲେ।

ସୁପର ୧୨ ମ୍ୟାଚ୍‌ରେ ଜିମ୍ବାଓ୍ଵେ ନିକଟରୁ ହାରିବା ପରେ ପାକିସ୍ତାନର ବିଶ୍ଵ କପ୍‌ରୁ ବାଦ୍ ପଡିବା ଆଶଙ୍କା ସୃଷ୍ଟି ହୋଇଥିଲା। ଦଳ ସେମି ଦୌଡରୁ ବାଦ୍ ପଡିବ ବୋଲି ସମସ୍ତେ ଧରି ନେଇଥିଲେ। ହେଲେ ଦକ୍ଷିଣ ଆଫ୍ରିକାକୁ ଶୋଚନୀୟ ପରାସ୍ତ କରି ଆଶା ଉଜ୍ଜୀବିତ ରଖିଥିଲା ପାକିସ୍ତାନ। ତେବେ ନେଦରଲାଣ୍ଡ ନିକଟରୁ ଦକ୍ଷିଣ ଆଫ୍ରିକା ପରାଜିତ ହେବା ବିଶ୍ଵ କପ୍‌ରେ ଆଗକୁ ବଢିବା ପାଇଁ ପାକିସ୍ତାନ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଥିଲା। ଆଉ ଏହି ସୁଯୋଗକୁ ହାତଛଡା କରିନଥିଲା ପାକିସ୍ତାନ। କର ବା ମର ମୁକାବିଲାରେ ବାଂଲାଦେଶକୁ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିପାରିଥିଲା ଆମର ଏହି ପଡୋଶୀ। ଆଉ ଆଜିର ସେମି ଫାଇନାଲ୍‌ରେ କିଓ୍ଵି ଦଳକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପହଞ୍ଚିଛି ପାକିସ୍ତାନ। ଏଥିସହ ସମସ୍ତଙ୍କ କଳ୍ପନା ଜଳ୍ପନାକୁ ଭୁଲ୍ ପ୍ରମାଣିତ କରିଛି ବାବର ଆଜମଙ୍କ ନେତୃତ୍ଵାଧୀନ ଦଳ।

ତେବେ ଆଜିର ମ୍ୟାଚ୍‌ରେ ପାକିସ୍ତାନର ଦୁଇ ଓପନର ବ୍ୟାଟ୍ସମ୍ୟାନ୍‌ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଦୁହେଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ମହମ୍ମଦ ରିଜୱାନ ସର୍ବାଧିକ ୫୭ ରନ୍ କରିଥିବା ବେଳେ ବାବର ଆଜମ ୫୩ ରନ୍ କରିଛନ୍ତି। ସେହିପରି ମହମ୍ମଦ ହାରିସ ୩୦ ରନରେ ଯୋଗଦାନ ଦେଇଛନ୍ତି।ତେବେ ପାକିସ୍ତାନର ଶୁଭ ସଂକେତ ହେଉଛି ଅଧିନାୟକ ବାବର ଆଜମ ଆଜି ଫର୍ମକୁ ଫେରିଛନ୍ତି। ଚଳିତ ବିଶ୍ୱକପ୍‌ରେ ବାରମ୍ବାର ଫେଲ୍ ଏହି ମାରୁଥିବା ବ୍ୟାଟର ଆଜି ମ୍ୟାଚ୍ ୱିନିଂ ପାଳି ଖେଳିଛନ୍ତି।

ଅନ୍ୟପଟେ ବୋଲିଂରେ ଟାଣୁଥିବା ନ୍ୟୁଜିଲାଣ୍ଡ ଆଜି ଖରାପ ବୋଲିଂ ପ୍ରଦର୍ଶନ କରିଥିଲା। କେବଳ ବୋଲିଂ ନୁହେଁ ଫିଲ୍ଡିଂ ଓ ବ୍ୟାଟିଂରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା। ଦଳ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଦୁଇଟି ୱିକେଟ୍ ନେଇଥିବା ବେଳେ ମିଶେଲ ସାନ୍ତେରଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା। ଅନ୍ୟ କୌଣସି ବୋଲର ୱିକେଟ୍ ନେଇପାରି ନଥିଲେ।

ନ୍ୟୁଜିଲାଣ୍ଡ ବ୍ୟାଟିଂ–

ଆଜିର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପାକିସ୍ତାନର ବୋଲର ଆଗରେ ଧରାଶାୟୀ ହୋଇଥିଲା। ଡେରିଲ ମିଶେଲ ଓ ଅଧିନାୟକ ୱିଲିୟମସନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରି ନଥିଲେ। ମିଶେଲ ସର୍ବାଧିକ ୫୩ ରନ୍ କରିଥିବା ବେଳେ ଅଧିନାୟକ ୱିଲିୟମସନ ୪୨ ବଲ୍‌ରେ ୪୬ ରନ୍ କରିଥିଲେ। ଦଳ ନିର୍ଦ୍ଧାରିତ ୨୦ ଓଭର ଖେଳି ପାକିସ୍ତାନକୁ ୧୫୨ ରନ୍ କରିଥିଲା।