ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ତଦନ୍ତ ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଚୋରି ହେବା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି । ଏହା ପଛରେ ଥିବା ରହସ୍ୟ ଏବଂ ଷଡ଼ଯନ୍ତ୍ର ନେଇ ବିଜେଡି ସୁପ୍ରିମୋ ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ଦାବି କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପୂର୍ବତନ ସରକାରଙ୍କ ଉପରେ ବର୍ଷିଛନ୍ତି । ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ପବିତ୍ର ଜନ୍ମାଷ୍ଟମୀ ଦିନ କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସେ ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରି ସାରା ଓଡ଼ିଶାରେ ଲୋକପ୍ରିୟ ହୋଇଥିଲେ । ପୂର୍ବରୁ ତାଙ୍କ ଉପରେ ଏକାଧିକ ସ୍ଥାନରେ ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ତତ୍କାଳୀନ ସରକାର ତାଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇନଥିଲେ । ଏପରିକି ହତ୍ୟାକାଣ୍ଡ ଘଟିଥିବା ଦିନ ତାଙ୍କ ନିକଟରୁ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଥିବା ନେଇ ସେ ଗୁରୁତର ଅଭିଯୋଗ ଆଣିଛନ୍ତି ।