ସହିଦନଗର ଥାନା ପରିସରରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଗୁରୁବାର ରାତିରେ ସହିଦନଗର ଥାନା ପରିସରରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସହିଦନଗର ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ଜଣଙ୍କ ହେଲେ ଗାଡ଼କଣର ୪୨ ବର୍ଷୀୟ ବିଚିତ୍ର ପଲେଇ। ଟଙ୍କା କରଜକୁ ନେଇ ତାଙ୍କୁ ଅପହରଣ କରାଯାଇଥିବା ବେଳେ ସେ ଗାଡିରୁ ଡେଇଁପଡିଥିବା କୁହାଯାଉଛି। ହେଲେ ବିଚିତ୍ରଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି। ପୁଅକୁ ପିଟି ପିଟି ମାରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଏହା ଶୁଣିବା ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିବା ସହ ଗୋଡ଼ାଉଥିବା ଯୁବକମାନଙ୍କୁ କାବୁ କରିନେଇଥିଲେ। ପଚରାଉଚରା ପରେ ଜଣାପଡ଼ିଲା ଯେ ସନ୍ଦିଗ୍ଧ ଅପହରଣକାରୀମାନେ ଶାନ୍ତିପଲ୍ଲୀ ବସ୍ତି ଅଞ୍ଚଳର ଏବଂ ଅପହୃତ ହେଉଛନ୍ତି ଗାଡ଼କଣ ଅଞ୍ଚଳର ବିଚିତ୍ର ପଲେଇ। ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ସହିଦନଗର ଥାନାକୁ ଯାଇଥିଲେ। ସହିଦନଗର ଥାନାରେ ପହଞ୍ଚିବା ମାତ୍ରେ ହଠାତ୍ ବିଚିତ୍ର ସଂଜ୍ଞାହୀନ ହୋଇପଡ଼ିଥିଲେ। ପାଟିତୁଣ୍ଡ ଶୁଣି ଥାନା ଭିତରୁ ପୁଲିସ ଅଧିକ‌ା‌ରୀ ଓ କର୍ମଚାରୀମାନେ ବାହାରକୁ ଆସିଯାଇଥିଲେ। ତୁରନ୍ତ ବିଚିତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବିଚିତ୍ରଙ୍କୁ କାର୍‌ ଯୋଗେ ଆଣିଥିବା ଦୁଇ ଯୁବକଙ୍କୁ ପୁଲିସ ଅଟକ ରଖିଛି।

ତେବେ ଅପହର୍ତ୍ତାମାନେ ବିଚିତ୍ରଙ୍କୁ କାହିଁକି ଅପହରଣ କରି ନେଉଥିଲେ ତାହା ପ୍ରକୃତ କାରଣ ଜଣାପଡ଼ି ନାହିଁ। ବିଚିତ୍ର ଏହି ଅପହର୍ତ୍ତାଙ୍କ ନିକଟରୁ କିଛି ଟଙ୍କା ଆଣିଥିଲେ। ସେ ନ ଦେଇ ପାରିବାରୁ ତାଙ୍କୁ ଅପହରଣ କରାଯାଉଥିବା ଜଣାପଡ଼ିଛି।

ସେପଟେ ଆଇନ୍‌ ଅନୁସାରେ, ଥାନା ପରିସରରେ ଯଦି କୌଣସି ବ୍ୟକ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟେ । ତେବେ ହାଜତ ମୃତ୍ୟୁ ଗାଇଡ୍‌ଲାଇନ୍‌ ଆଧାରରେ ମାମଲାର ତଦନ୍ତ ହେବ । ଏହି ଘଟଣାରେ ସହିଦନଗର ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଦଫା ୩୦୨ (ହତ୍ୟା), ୩୬୩ (ଅପହରଣ) ଓ ୩୪ (ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି) ଲଗାଇଛି । ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ବିଚିତ୍ରଙ୍କ ମୃତଦେହ ହସ୍ପିଟାଲ ଶବାଗୃହକୁ ନେଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡି଼ବ ।