ସୁରମା ପାଢ଼ୀ ବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ୱର: ଆଜି ବିଧାନସଭାରେ ବସିଥିବା ବିଜେପି ବିଧାୟକ ଦଳ ବୈଠକ ଶେଷ ହୋଇଛି । ତେବେ ବୈଠକରେ ବିଧାୟିକା ସୁରମା ପାଢ଼ୀଙ୍କୁ ବାଚସ୍ପତିଭାବେ ମନୋନୀତ କରାଯାଇଛି । ଆଜି ସୁରମା ପାଢ଼ୀ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ଏନେଇ ନିର୍ବାଚନ ହେବ । କିଏ ହେବ ବାଚସ୍ପତି ସେ ନେଇ  ବିଧାନସଭାର ୫୪ ନମ୍ବର କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପିର ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନା କରିଥିଲେ । ବାଚସ୍ପତିଙ୍କ ନାମ ସ୍ଥିର ହେବା ପରେ ସାଢ଼େ ୧୧ଟାରେ ନିର୍ବାଚନ ପାଇଁ  ସୁରମା ପାଢ଼ୀ ନାମାଙ୍କନ ଦାଖଲ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ସୁରମା ଆଜି ବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତାକାଲି ସ୍ବତନ୍ତ୍ର ବିଧାନସଭା ଅଧିବେଶନର ତୃତୀୟ ତଥା ଅନ୍ତିମ ଦିବସରେ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି । ଅନ୍ୟପଟେ ସର୍ବସମ୍ମତି କ୍ରମେ ବାଚସ୍ପତି ଚୟନ ନେଇ ସବୁ ଦଳର ସହଯୋଗ ଲୋଡିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏ ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ ମୋହନ ମାଝୀ । ଅନ୍ୟପଟେ ବିଧାୟକଙ୍କ ଦୁଇ ଦିନିଆ ଶପଥ ଗ୍ରହଣ ସମାରୋହର ଆଜି ଶେଷ ଦିନ । ଆଜି ଅବଶିଷ୍ଟ ବିଧାୟକ ଶପଥ ଗ୍ରହଣ କରିବେ । ଗତକାଲି ପ୍ରଥମେ ବିଧାୟକ ଭାବେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କେଭି ସିଂହଦେଓ । ବିଧାୟକମାନଙ୍କୁ ଶପଥ ପାଠ କରାଉଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।