ଆଧାର କାର୍ଡର ବ୍ୟବହାରକୁ ନେଇ ସୁପ୍ରିମକୋର୍ଟଙ୍କ ପଦକ୍ଷେପ: କେନ୍ଦ୍ର, ରାଜ୍ୟ ଓ ନିର୍ବାଚନ କମିଶନଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଆଧାର କାର୍ଡର ବ୍ୟବହାର ଓ ଏହାର ଆଇନଗତ ପରିସରକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ସରକାର ଏବଂ ଭାରତୀୟ ନିର୍ବାଚନ କମିଶନଙ୍କୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି। ଆଧାର କାର୍ଡକୁ କେବଳ ଏକ ସାଧାରଣ ପରିଚୟପତ୍ର ଭାବେ ବ୍ୟବହାର କରାଯାଉ, ଏହାକୁ ନାଗରିକତା, ବାସସ୍ଥାନ କିମ୍ବା ଜନ୍ମ ତାରିଖର ପ୍ରମାଣପତ୍ର ଭାବେ ଗ୍ରହଣ କରାନଯାଉ ବୋଲି ଆବେଦନରେ ଅନୁରୋଧ କରାଯାଇଥିଲା। ଆବେଦନକାରୀ ତଥା ବରିଷ୍ଠ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ଦର୍ଶାଇଛନ୍ତି ଯେ, ବିଭିନ୍ନ ପ୍ରଶାସନିକ ଏବଂ ନିର୍ବାଚନ ପ୍ରକ୍ରିୟାରେ ଆଧାର କାର୍ଡକୁ ଏହାର ଆଇନଗତ ପରିସର ବାହାରେ ବ୍ୟବହାର କରାଯାଉଛି। ବିଶେଷ କରି ନୂତନ ଭୋଟର ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ ‘ଫର୍ମ-୬’ରେ ଜନ୍ମ ତାରିଖ ଏବଂ ବାସସ୍ଥାନର ପ୍ରମାଣ ସ୍ୱରୂପ ଆଧାରକୁ ଗ୍ରହଣ କରାଯିବା ଉପରେ ସେ ଆପତ୍ତି ଉଠାଇଛନ୍ତି। ଏହି ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ସମ୍ପୃକ୍ତ ପକ୍ଷମାନଙ୍କୁ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Supreme Court's move on use of Aadhaar card: Notice to Centre