ତରୁଣ ତେଜପାଲଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୩ ମସିହାର ଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ସାମ୍ବାଦିକ ତଥା ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ। ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ଦ୍ୱାରା ଦିଆଯାଇଥିବା ୧୦ ବର୍ଷର ଜେଲ୍ ଦଣ୍ଡାଦେଶକୁ ସ୍ଥଗିତ ରଖିବା ସହ ଅନ୍ତରୀଣ ଜାମିନ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ତେବେ ଏହି ଦଣ୍ଡାଦେଶକୁ ଚାଲେଞ୍ଜ କରି ତେଜପାଲ କରିଥିବା ଆବେଦନ ଏବଂ ତାଙ୍କ ଦଣ୍ଡ ବୃଦ୍ଧି ପାଇଁ ରାଜ୍ୟ ସରକାର ଦାୟର କରିଥିବା ମାମଲାକୁ କୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ ଏବଂ ଜଷ୍ଟିସ୍ ପି.ବି. ଭରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ସରକାରୀ ପକ୍ଷର ସାକ୍ଷୀ, ପ୍ରମାଣ ଏବଂ ରେକର୍ଡରେ ଥିବା ସନ୍ଦେଶଗୁଡ଼ିକର ପ୍ରାଥମିକ ଯାଞ୍ଚରୁ ଅନ୍ତରୀଣ ଜାମିନ ଦେବା ପାଇଁ କୌଣସି ଯଥାର୍ଥ କାରଣ ଦୃଶ୍ୟମାନ ହେଉନାହିଁ। ୨୦୨୧ ମସିହାରେ ଗୋଆ ବିଚାର ଅଦାଲତଙ୍କ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହେବା ପରେ ଗତ ସେପ୍ଟେମ୍ବର ୧୪ ତାରିଖରେ ଆତ୍ମସମର୍ପଣ କରିଥିବା ତେଜପାଲ, ଦୀପାବଳି ପୂର୍ବରୁ ସାମୟିକ ମୁକ୍ତି ପାଇଁ ଆବେଦନ କରିଥିଲେ।