ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ସୁପ୍ରିମକୋର୍ଟରେ ଜଜ୍ ସଂଖ୍ୟା ବୃଦ୍ଧିକୁ ନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୩୪ରୁ ବଢାଇ ୩୮ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଛଅ ବର୍ଷ ପରେ ଏହି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହା ପୂର୍ବରୁ ୨୦୧୯ରେ ବିଚାରପତିଙ୍କ ସଂଖ୍ୟା ବଢାଯାଇ ୩୧ରୁ ୩୩ କରାଯାଇଥିଲା। ଏହି ପଦକ୍ଷେପ ଉଦ୍ଦେଶ୍ୟ ସୁପ୍ରିମକୋର୍ଟକୁ ମଜବୁତ କରିବା ଏବଂ ନ୍ୟାୟ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ବୋଲି ସରକାର କହିଛନ୍ତି। ସଂପ୍ରତି ସୁପ୍ରିମକୋର୍ଟରେ ୯୨ ହଜାରରୁ ଅଧିକ ମାମଲା ବିଚାରଧୀନ ରହିଛି। କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଜଣାଇଛନ୍ତି ଯେ, ବର୍ତ୍ତମାନ ଅଦାଲତରେ ୩୩ ବିଚାରପତି ଏବଂ ଜଣେ ପ୍ରଧାନ ବିଚାରପତି ରହିଛନ୍ତି। ସଂସଦର ଆଗାମୀ ଅଧିବେଶନରେ ଏ ସଂପର୍କିତ ବିଧେୟକ ଆଗତ କରାଯିବ। ବିଧେୟକ ଗୃହୀତ ହେବା ପରେ ପ୍ରଧାନ ବିଚାରପତି ସହିତ ସୁପ୍ରିମକୋର୍ଟଙ୍କ ମୋଟ୍ ଜଜ୍ ସଂଖ୍ୟା ୩୮ କୁ ବୃଦ୍ଧି ଘ। କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନ୍ୟାୟାଳୟରେ ବିଚାରଧୀନ ମାମଲାର ବୋଝ କମ କରିବା ଏବଂ ନ୍ୟାୟ ପ୍ରକ୍ରିୟା ତ୍ଵରାନ୍ଵିତ କରିବା ଉଦ୍ଦେଶ୍ୟରେ ନେଇଛନ୍ତି।ଭାରତର ସମ୍ବିଧାନରେ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ ଭାବେ କେତେ ରହିବ ତାହା ସ୍ଥିର ହୋଇନି। ଅନୁଚ୍ଛେଦ ୧୨୪(୧) ଆଧାରରେ ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଅନ୍ୟ ଜଜଙ୍କ ସଂଖ୍ୟା ସଂସଦରେ ସ୍ଥିର କରାଯାଏ। ସମୟ ସମୟରେ ବଢୁଥିବା ମୋକଦ୍ଦମା ସଂଖ୍ୟାକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ କରାଯାଏ।