ଭାରତରେ ସୁପରସ୍ପିଡ୍ ୫ଜି ଇଣ୍ଟରନେଟ ସେବା

ଇଣ୍ଟରନେଟ‌ରେ ଆଜି ଆମେ ବହୁତ ଆଗରେ। ଗୋଟିଏ ସମୟ ଥିଲା ଆମେ ମୋବାଇଲରେ କଥା ହେବାକୁ ବି ବହୁତ ବଡ ଜିନିଷ ଭାବୁଥିଲୁ। କେହି କେବେ ଭାବିନଥିବେ ଯେ ଆଜି ଆମେ ସେ ସମୟରୁ ବାହାରି ୫ଜି ଯୁଗରେ ପହଞ୍ଚିବାରେ ସକ୍ଷମ ହେଇପାରିଛୁ । କେତେ ନୂଆ ଓ ଅତ୍ୟାଧୁନିକ ଟେକନୋଲୋଜିକୁ ହାତ କରି ନିଜ ଦେଶକୁ ଆଗକୁ ନେବାରେ ସକ୍ଷମ ହେଇଛୁ । କେବଳ ସେତିକି ନୁହେଁ ବିଶ୍ୱସ୍ତରରେ ବି ଆମେ ଅନ୍ୟ ଦେଶକୁ ନିଜର ସ୍ୱଦେଶୀ ଢାଞ୍ଚାରେ ବଦଳାଇ କିଛି ନୂଆ କରିବାର ଉପାୟ ଦେଇପାରିଛୁ । ସେଥିପାଇଁ ତ ଏବେ ଟେଲିକୋମ୍ ଦୁନିଆରେ ବି ସବୁଠୁ ବଡ ଉପଲବ୍ଧି କରିପାରୁଛି ଭାରତ । ଅକ୍ଟୋବର ପହିଲାରୁ ଦେଶରେ ସୁପରସ୍ପିଡ୍ ଇଣ୍ଟରନେଟ ସେବା ୫-ଜି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୧୬ଟି ସହରରେ ଏହି ନେଟୱର୍କ ସେବା ଆରମ୍ଭ ହୋଇଛି। ପୂରା ଦେଶରେ ପହଞ୍ଚିବାକୁ ଆହୁରି ଅନେକ ଦିନ ଲାଗିବ। ଏବେ ସରକାର ୫-ଜି ନେଟୱର୍କ ଅନ୍ୟ ଦେଶକୁ ବିକିବା ପାଇଁ ଯୋଜନା ଚଳାଇଥିବା ଆମେରିକାର ଜନ୍ ହପକିନ୍ସ ସ୍କୁଲ୍ ଅଫ୍ ଆଡଭାନ୍ସ ଇଣ୍ଟରନ୍ୟାସନାଲ ଷ୍ଟଡିଜର ଛାତ୍ରମାନଙ୍କୁ ସମ୍ବୋଧନ ଦେବା ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି। ଆମେରିକା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ୫-ଜିର ବିକାଶ କରିଛି। ଏହା ଦେଶର ନିଜସ୍ୱ ଉତ୍ପାଦ। ଯଦି କୌଣସି ଦେଶ ଏହାର ଆବଶ୍ୟକତା ଅନୁଭବ କରନ୍ତି, ଭାରତ ସେମାନଙ୍କୁ ଏହା ଯୋଗାଇ ଦେଇପାରିବ। କାରଣ ଏହାକୁ ଭାରତ ଅନ୍ୟ କୌଣସି ଦେଶରୁ ଆମଦାନୀ କରିନାହିଁ, ବରଂ ନିଜେ ତିଆରି କରିଛି। ଭାରତରେ ୫-ଜି କିପରି ବିକଶିତ ହେଲା ଏହି କାହାଣୀ ଲୋକଲୋଚନକୁ ଆସିନାହିଁ। ଦକ୍ଷିଣ କୋରିଆ ଭଳି ଦେଶରୁ କିଛି ଜଟିଳବସ୍ତୁ ଆସିପାରେ,କିନ୍ତୁ ଅନ୍ୟ ସ୍ଥାନରୁ ଆସିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଯେଉଁ ଘରୋଇ କମ୍ପାନୀଗୁଡିକ ଭାରତରେ ୫-ଜି ତିଆରି କରିଛନ୍ତି,ସେମାନେ ୨୦୨୪ ଶେଷ ସୁଦ୍ଧା ଏହି ଟେକ୍ନୋଲୋଜି ଅନ୍ୟ ଦେଶ ପାଇଁ ମଧ୍ୟ ଉପଲବ୍ଧ କରାଇପାରିବେ। ୫-ଜି ଭାରତର ଏକ ଉପଲବ୍ଧି, ଏହାକୁ ନେଇ ଆମେ ଗର୍ବିତ ବୋଲି ସେ କହିଛନ୍ତି। ଚଳିତ ମାସ ପହିଲାରେ ଦିଲ୍ଲୀରେ ଆୟୋଜିତ‘ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫-ଜି ସେବାର ଶୁଭାରମ୍ଭ କରିଥିଲେ । ଦେଶର ୮ଟି ସହରରେ ଏୟାରଟେଲ ୫-ଜି ସେବା ଆରମ୍ଭ କରିଛି। ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଦେଶର କୋଣ ଅନୁକୋଣରେ ସୁପର ସ୍ପିଡ୍ ଇଣ୍ଟରନେଟ ଯୋଗାଇ ଦିଆଯିବ ବୋଲି ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀ କହିଛନ୍ତି। ଭାରତରେ ରିଲାଏନ୍ସ, ଏୟାରଟେଲ, ଆଇଡିଆ ଭୋଡାଫୋନ ଓ ଆଦାନୀ ଗ୍ରୁପକୁ ୫-ଜି ସ୍ପ୍ରେକଟମ ଦିଆଯାଇଛି। ବର୍ତ୍ତମାନ କିଛି ସୀମିତ ସଂଖ୍ୟକ ସହରରେ ୫-ଜି ସେବା ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଏହା ଦେଶର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ଉପଲବ୍ଧ ହେବ। ୫-ଜିରେ ଇଣ୍ଟରନେଟ ୪-ଜିଠାରୁ ୧୦ଗୁଣ ସ୍ପିଡ୍ ହେବ। ଏହି ନେଟୱର୍କ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଏକ କ୍ରାନ୍ତି ଆଣିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ।