ସୁନକ୍‌ଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବାର ଦିନକପରେ ଅର୍ଥାତ୍ ବୁଧବାର ଋଷି ସୁନକ୍ ତାଙ୍କର ସରକାରୀ ବାସଭବନ ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ପ୍ରଥମେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାପରେ ସୁନକ୍‌ଙ୍କୁ ହାଉସ ଅଫ୍ କମନ୍‌ସରେ ଆୟୋଜିତ ପିଏମ୍‌କ୍ୟୁ (ପ୍ରାଇମ ମିନିଷ୍ଟଣ କ୍ୱେଶ୍ଚେନ୍‌)ର ସମ୍ମୁଖୀନ ହେବାକୁ ପଡିଛି । ବ୍ରିଟିଶ ରାଜନୈତିକ ପରମ୍ପରା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରତ୍ୟେକ ବୁଧବାର ମଧ୍ୟାହ୍ନରେ ହାଉସ୍ ଅଫ୍ କମନ୍‌ସରେ ଥିବା ଡେସ୍‌ପାଚ୍ ବକ୍ସରେ ଛିଡା ହୋଇ ସାଂସଦଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ । ଏହି କାର୍ଯ୍ୟକ୍ରମ ପ୍ରାୟ ଅଧଘଣ୍ଟା ଧରି ଚାଲିଥାଏ । ବିରୋଧୀ ଦଳର ନେତା ସର୍ବାଧିକ ଛଅଟି ପ୍ରଶ୍ନ ପଚାରିଥାନ୍ତି । ମଙ୍ଗଳବାର ସୁନକ୍ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି । ଜେରେମି ହଣ୍ଟ୍‌ଙ୍କୁ ଅର୍ଥମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ସୁଏଲା ବ୍ରାଭେରମ୍ୟାନ୍‌ଙ୍କୁ ଗୃହ ଏବଂ ଜେମ୍‌ସ କ୍ଲେଭେର୍ଲିଙ୍କୁ ବିଦେଶ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି । ତେବେ ସୁଏଲାଙ୍କ ପୁନଃନିଯୁକ୍ତିକୁ ବିରୋଧୀ ଲେବର ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଛି । ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍‌ଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ସୁଏଲା ଗତ ସପ୍ତାହରେ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତେବେ ସୁନକ୍‌ଙ୍କ ଦୃଢ ସମର୍ଥକ ହୋଇଥିବାରୁ ତାଙ୍କୁ ପୁଣି କ୍ୟାବିନେଟ୍‌ରେ ସ୍ଥାନିତ କରାଯାଇଛି । ୪୨ ବର୍ଷୀୟ ସୁନକ୍ ବ୍ରିଟେନର ସର୍ବକନିଷ୍ଠ ଏବଂ ପ୍ରଥମ ଅଣଶ୍ୱେତାଙ୍ଗ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟଲାଭ କରିଛନ୍ତି । ଜଣେ ଭାରତୀୟ ବଂଶଦ୍ଭୋବଭାବେ ମଧ୍ୟ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ।