ଜୁଲାଇ ୨୫ ସୁଦ୍ଧା ସୁଭଦ୍ରା ଯୋଜନାର ଫିଲ୍ଡ ଇନକ୍ୱାରୀ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୫ ତାରିଖ ମଧ୍ୟରେ ସୁଭଦ୍ରା ଯୋଜନାର ଫିଲ୍ଡ ଇନକ୍ୱାରୀ ପରିଦର୍ଶନ କରି ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଡିବିଟି ସକ୍ରିୟ କରଣ, ଇ-କେୱାଇସି, ଫିଲ୍ଡ ଇନକ୍ୱାରୀ, ଏନପିସିଆଇ ମ୍ୟାପିଂ, ପେମେଣ୍ଟ ଫାଇଲର ପ୍ରସ୍ତୁତି ଓ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାଇଯାଇଛି ଯେ ରାଜ୍ୟରେ ଆଉ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂତନ ହିତାଧିକାରୀ ସୁଭଦ୍ରା କିସ୍ତି ପାଇଁ ଆବେଦନ କରିଛନ୍ତି । ସେହିପରି ୮୨ ହଜାର ୨୬ ଡିବିଟି ସକ୍ରିୟ କରଣ, ୨୮ ହଜାର ୬୨୧ ବାୟୋମେଟ୍ରିକ ଇକେୱାଇସି ଓ ୩ ଲକ୍ଷ ୫୩ ହଜାର ୫୯ଟି ଫିଲ୍ଡ ଇନକ୍ୱାରୀ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି । ସେଗୁଡ଼ିକୁ ତୁରନ୍ତ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ୨୫ ତାରିଖ ସୁଦ୍ଧା ଫିଲ୍ମ ଇନକ୍ୱାରୀ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯେଉଁ ୨୮ ହଜାର ୬୨୧ ଜଣ ଆବେଦନକାରୀଙ୍କର ସୁଭଦ୍ରା ପୋର୍ଟାଲରେ ଇ-କେୱାଇସି ଦେଖାଉନାହିଁ ସେମାନେ ଜୁଲାଇ ୨୫ ତାରିଖ ସୁଦ୍ଧା ନିକଟସ୍ଥ ଜନ ସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ଦେଇ ପୁଣି ଥରେ ଇ-କେୱାଇସି କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ଛାଡ ଅନ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଥିଲେ ସେମାନେ ଫିଲ୍ମ ଇନକ୍ୱାରୀବେଳେ ଅଭିଯୋଗ କରିପାରିବେ । ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପରବର୍ତ୍ତୀ କିସ୍ତି ପ୍ରଦାନ କରାଯିବ ।