କଟକ: କଟକରେ ବକେୟା ଟଙ୍କା ପରିଶୋଧରେ ବିଳମ୍ବକୁ ନେଇ ଏକ ସରକାରୀ କାର୍ଯ୍ୟାଳୟ ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି କମର୍ସିଆଲ୍ କୋର୍ଟ। ପ୍ରାୟ ୯ କୋଟି ୧୯ ଲକ୍ଷ ଟଙ୍କାର ବକେୟା ପ୍ରାପ୍ୟ ଆଦାୟ ପାଇଁ ଯୋବ୍ରାସ୍ଥିତ କଟକ ବନ୍ଦୋବସ୍ତ, ଭୂ-ଲେଖ ଓ ନକ୍ସା ପ୍ରକାଶନ କାର୍ଯ୍ୟାଳୟର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଫିସ୍ର ମୁଖ୍ୟ ଫାଟକ ବନ୍ଦ ଥିବାରୁ ଆଜି ଗେଟ୍ ସମ୍ମୁଖରେ ନୋଟିସ୍ ଲଗାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଏହି କାର୍ଯ୍ୟାଳୟର ଆବଶ୍ୟକତା ଅନୁଯାୟୀ ସିଲଭେସା ଇନଫୋଟେକ୍ ସଂସ୍ଥା ୧୨୨ଟି ତହସିଲ କାର୍ଯ୍ୟାଳୟକୁ କମ୍ପ୍ୟୁଟର ଯୋଗାଇଥିଲା। ଏହା ବାବଦରେ ସୁଧ ଓ ମୂଳଧନ ମିଶାଇ ୯.୧୯ କୋଟି ଟଙ୍କା ପାଇବାକୁ ଥିବା ସତ୍ତ୍ୱେ ଟଙ୍କା ପରିଶୋଧରେ ବିଳମ୍ବ ହେବାରୁ ସଂସ୍ଥା କମର୍ସିଆଲ୍ କୋର୍ଟରେ ମାମଲା ଦାୟର କରିଥିଲା। ଶୁଣାଣି ପରେ କୋର୍ଟ ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଅପିଲ୍ ପିଟିସନ୍ ଖାରଜ ହେବା ପରେ ନିମ୍ନ ଅଦାଲତଙ୍କ ରାୟ କାଏମ ରହିଛି। ଏହାପରେ ବକେୟା ଟଙ୍କା ଆଦାୟ ପାଇଁ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆଗକୁ ବଢ଼ିଛି।