ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ଦାନା ’। ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳର ଭାଗ ଛୁଇଁବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ଏହି ସୂଚନା ଦେଇଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ୨ରୁ ୩ ମିଟର ଉଚ୍ଚର ଜୁଆର ମାଡ଼ି ଆସିବାର ସମ୍ଭାବନା ରହିଛି। ଶ୍ରୀ ଦାଶ କହିଛନ୍ତି, ବାତ୍ୟା ‘ଦାନା ’ ୧୫ କି.ମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ପାରାଦୀପଠୁ ୫୨୦ ଓ ସାଗର ଦ୍ୱୀପଠାରୁ ୬୦୦ କିମି ଦୂରରେ ରହିଛି। ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭିତରକନିକା-ଧାମରା ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଉମାଶଙ୍କର ଦାଶ ଆହୁରି କହିଛନ୍ତି, ୨୪ ଓ ୨୫ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ରହିବ। ୨୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆଜି ସନ୍ଧ୍ୟାଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା,କଟକ, ପୁରୀ, ଗଞ୍ଜାମ ଓ ମୂୟରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ,ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ୭ରୁ ୨୦ ସେମି ବର୍ଷା ହେବାର ସମ୍ଭାବନା ରହିଛି। ଆଉ କିଛି ସ୍ଥାନରେ ୨୦ରୁ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।