ପାଣି ପିଇଲେ କାଟୁଛି ପେଟ, ବ୍ୟାପିଲା ଝାଡ଼ାବାନ୍ତି

ଭୁବନେଶ୍ବର: ପାଣି ପିଇଲେ ପେଟ କାଟୁଛି। ପୁରୀ ସହର ସ୍ଥିତ ବାସେଳି ସାହିରେ ଦେଖାଦେଇଛି ଝାଡ଼ାବାନ୍ତି। ପ୍ରତି ଘରେ ଝାଡ଼ାବାନ୍ତି ବ୍ୟାପିଥିବା ସୂଚନା ମିଳିଛି।  ପ୍ରତି ଘରର ଅଧିକାଂଶ ସଦସ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପାଣି ପାଇପରେ ଫାଟ ସୃଷ୍ଟି ହୋଇ ପାଣି ଦୂଷିତ ହେବାରୁ ପରିସ୍ଥିତି ଏପରି ଅଣାୟତ୍ତ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏପରିକି ପାଣି ଅଧିକ ପିଇଲେ ଅଧିକ ପେଟ କାଟୁଥିବା ଆକ୍ରାନ୍ତ କହିଛନ୍ତି।  ୨ ଦିନ ହେଲା ଝାଡ଼ାବାନ୍ତି ଯୋଗୁ ପରିସ୍ଥିତି ଅଣାୟତ ହୋଇ ପଡ଼ିଥିବା ବେଳେ ପ୍ରଶାସନ ତରଫରୁ କିନ୍ତୁ ଏଯାଏ ତତ୍ପରତା ପ୍ରକାଶ ପାଇ ନାହିଁ।

ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରକୁ ଲାଗି ରହିଥିବା ବାସେଳି ସାହିରେ ବହୁ ସେବାୟତଙ୍କ ପରିବାର ବସବାସ କରନ୍ତି। ଏହି ସାହିକୁ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଇଥାଏ। ହେଲେ ଗତ ରବିବାର ରାତିରୁ କିଛି  ସାହି ବାସିନ୍ଦାଙ୍କ ପେଟ କାଟିବା ଆରମ୍ଭ ହେବା ସହ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ସେମାନେ ମେଡିସିନ,ଇଞ୍ଜେକସନ ନେଇ  ଘରେ ଥିବା ବେଳେ ଗତକାଲି କିନ୍ତୁ ଏହା ଅଧିକ ବ୍ୟାପିବାରେ ଲାଗିଲା । ପ୍ରାୟ ଘରେ ଘରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାକୁ ଲାଗିଲେ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ସୌମେନ୍ଦ୍ର ମୁଦଲୀଙ୍କ ପରିବାରର ୮ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ପରିବାର ଲୋକେ ମଧ୍ୟ ଝାଡାବାନ୍ତିରେ ପୀଡିତ ହୋଇଛନ୍ତି ।  ବହୁ ଲୋକେ ନିଜ ଖର୍ଚ୍ଚରେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଜଣେ ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ହେଲେ ପ୍ରଶାସନ ତରଫରୁ ଏଯାଏ କୌଣସି ମେଡିକାଲ ଟିମ୍‌କୁ ବାସେଳି ସାହିକୁ ପଠାଯାଇ ନ ଥିବା ଜଣାଯାଇଛି । ପାଣି ପାଇପରେ କେଉଁଠି ଫାଟ ସୃଷ୍ଟି ହୋଇଥିବାରୁ ପାଣି ଦୂଷିତ ହୋଇ ଝାଡ଼ାବାନ୍ତି ବ୍ୟାପୁଥିବା ଅନୁମାନ କାରଯାଉଛି। କାରଣ ପାଇପ ପାଣି ପିଇବାରୁ ପେଟ ଅଧିକ କାଟୁଥିବା ସାହି ବାସିନ୍ଦା ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଗଡନ୍ତିଛକରେ ଯାଇଥିବା ପୁରୁଣା ପାଣି ପାଇପ ଲାଇନକୁ ହଟାଯାଇ ନୂତନ ପାଇପଲାଇନ ପକାଯାଉଛି ।  ଅଦଳବଦଳ ସମୟରେ ପାଇପଲାଇନ ଫାଟି ଦୂଷିତ ପାଣି ମିଶିଥିବା ନେଇ ସନ୍ଦେହ କରାଯାଉଛି । କେବଳ ବାସେଳି ସାହି ନୁହେଁ କଳାପ୍ରିୟା ଠାକୁରାଣୀ ଅଞ୍ଚଳ, ଗୋଛିକାର ସାହି, ଲୋକନାଥ ରୋଡ ଅଞ୍ଚଳରେ ଘରେ ଘରେ ଝାଡ଼ାବାନ୍ତି ବ୍ୟାପିଛି। ଖୁବ୍‌ ଶୀଘ୍ର ଏହି ଘଟଣାରେ ପଦକ୍ଷେପ ନେବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

Stomach aches after drinking water