ପଦମ୍‌ପୁରବାସୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି

ଭୁବନେଶ୍ୱର,ତା.୦୮/୧୨: ପଦମ୍‌ପୁର ଉପ ନିର୍ବାଚନର ଜନାଦେଶକୁ ସମ୍ମାନ ଜଣାଇବା ସହ ବିଜେପି ପ୍ରତି ଆସ୍ଥା ଓ ବିଶ୍ୱାସ ରଖିଥିବା ସମସ୍ତ ଭୋଟର ଭାଇ ଓ ଭଉଣୀମାନଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି ।
ଦିବଙ୍ଗତ ବିଧାୟକ ସ୍ୱର୍ଗତଃ ବିଜୟ ରଂଜନ ସିଂହ ବରିହା ଦୀର୍ଘ ଦିନ ଧରି ପଦମ୍‌ପୁର ଅଂଚଳର ପ୍ରତିନିଧିତ୍ୱ କରିଆସୁଥିଲେ । ତାଙ୍କ ଅକାଳ ବିୟୋଗ କାରଣରୁ ଅନୁକଂପା ଭୋଟ ନିଜ ସପକ୍ଷରେ ନେଇ ବିଜୟୀ ହୋଇଥିବା ଶ୍ରୀମତୀ ବର୍ଷା ସିଂହ ବରିହାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ।
ଶାସକ ଦଳ ସପକ୍ଷରେ ଜନାଦେଶ ଯିବା ସତ୍ୱେ ନିର୍ବାଚନ ଫଳାଫଳରୁ ରାଜ୍ୟ ସରକାରଙ୍କ ପ୍ରତି ବହୁ ମାତ୍ରାରେ ଜନଅସନ୍ତୋଷ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି । ଜନତାଙ୍କ ରାୟକୁ ସମ୍ମାନ ଜଣାଇ ଆଗାମୀ ଦିନରେ ପଦମ୍‌ପୁରବାସୀଙ୍କ ସ୍ୱାର୍ଥ ପାଇଁ ଦାୟୀତ୍ୱର ସହ କାର୍ଯ୍ୟ ନିର୍ବାହ କରିବା ସହିତ ଆସ୍ଥାଭାଜନ ହେବା ପାଇଁ ପ୍ରୟାସ ଜାରୀ ରଖିବୁ । ଏଥି ସହ ଅଂଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ଲଢେଇ ଜାରୀ ରଖିବା ସହ ତାଙ୍କର ସ୍ୱାର୍ଥ ଓ ହକ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିବୁ । ପଦମ୍‌ପୁର ନିର୍ବାଚନମଣ୍ଡଳୀର ସାମୁହିକ ବିକାଶ ଆମର ପ୍ରାଥମିକତା ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଗତ ୨୦୧୯ ନିର୍ବାଚନରେ ବିଜେପିର ଭୋଟକୁ ବଜାୟ ରଖିଥିବା ଏବଂ ଏହି ଉପନିର୍ବାଚନରେ କଠିନ ପରିଶ୍ରମ କରିଥିବା ସମସ୍ତ କାର୍ଯ୍ୟକର୍ତାଙ୍କୁ ସାଧୁବାଦ୍ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ।