ପୁରୀ: ପୁରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲୁଥିବା ‘ହବିଷିଆଳି ଯୋଜନା’ ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୪ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆସନ୍ତା ୬ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ପୁରୀର ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଆଦି ୩ଟି ପ୍ରମୁଖ ସ୍ଥାନରେ ମୋଟ ୨୫୦୦ ଜଣ ହବିଷିଆଳିଙ୍କ ପାଇଁ ନିଃଶୁଳ୍କ ରହଣି, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଶ୍ରୀଜିଉ ଦର୍ଶନ ଏବଂ ମାଗଣା ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଆଶାୟୀ ଆବେଦନକାରୀମାନେ https://edistrict.odisha.gov.in ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଏଥର ନୂଆ ଆବେଦନକାରୀଙ୍କୁ ପ୍ରାଥମିକତା ଦିଆଯିବ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହବିଷିଆଳିଙ୍କ ରହଣି, ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ସ୍ୱେଚ୍ଛାସେବୀ ନିୟୋଜନ, ଭଜନ-କୀର୍ତ୍ତନ ଓ ପୂଜାପାଠ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କେବଳ ଅନଲାଇନ୍ ପଞ୍ଜୀକରଣମାଧ୍ୟମରେ ହିଁ ହବିଷିଆଳିମାନେ ଏହି ଯୋଜନାରେ ସାମିଲ ହୋଇପାରିବେ।