ରାଜ୍ୟ ସରକାର ନିର୍ଦ୍ଦେଶ:ସରକାରୀ ଜମିରେ ତାରବାଡ଼ ଲାଗିବ

ଭୁବନେଶ୍ୱର: ରାଜ୍ୟର ସହରାଂଚଳ ଓ ଗ୍ରାମାଂଚଳରେ ସରକାରୀ ଜମିଗୁଡ଼ିକୁ ଜବରଦଖଲମୁକ୍ତ କରିବାକୁ  ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସହର ଓ ଗାଁରେ ଜବରଦଖଲରେ ଥିବା ସରକାରୀ ଜମିଗୁଡ଼ିକୁ ଚିହ୍ନଟ କରି ପ୍ରଚଳିତ ଆଇନ ଅନୁସାରେ ତାକୁ ଜବରଦଖଲମୁକ୍ତ କରିବାକୁ କୁହାଯାଇଛି । ଏହାସହିତ ଉକ୍ତ ସରକାରୀ ଜମିଗୁଡ଼ିକୁ ତାରବାଡ଼ ଘେରାଇ ତାହା ‘ସରକାରଙ୍କ ସମ୍ପତ୍ତି’ ବୋଲି ସ୍ପଷ୍ଟ ଭାବେ ଡିସପ୍ଲେ ବୋର୍ଡ ଲଗାଇବାକୁ ପରାମର୍ଶ ଦିଆଯାଇଛି । ରାଜସ୍ୱ ବିପର୍ୟ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟରେ ବହୁ ପରିମାଣର ସରକାରୀ ଜମି ଜବରଦଖଲରେ ରହିଥିବା ନେଇ ଉଚ୍ଚସ୍ତରୀୟ ବୈଠକରେ ସରକାର ଚିନ୍ତା ପ୍ରକଟ କରିଥିବା ସମ୍ପର୍କରେ ଅବଗତ କରାଇଛନ୍ତି ।