ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି କ୍ରିକେଟ ମ୍ୟାଚ୍ ବେଳେ କୌଣସି ଅଘଟଣ ଘଟିବ ନାହିଁ

ଭୁବନେଶ୍ବର: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତା ଫେବୁଆରୀ ୯ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ଆନ୍ତର୍ଜାତୀକ କ୍ରିକେଟ୍ ମ୍ୟାଚ୍‌ରେ ଅଗ୍ନି ନିରାପତ୍ତାକୁ ନେଇ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ନେବେ। ସେହି ସମୟରେ ଯେପରି କୌଣସି ପ୍ରକାର ଦୁର୍ଘଟଣା ନଘଟେ ସେଥିପାଇଁ ସରକାର ପୁରା ପ୍ରସ୍ତୁତି ସହ ରହିଛନ୍ତି ବୋଲି ଆଜି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ୪୫ହଜାର ଲୋକଙ୍କ ବସିବା ପାଇଁ ପ୍ରସ୍ତୁତ ହୋଇଥିବା ବାରବାଟୀ ଷ୍ଟାଡିୟମ୍‌ରେ କୌଣସି ପ୍ରକାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ କଟକର ତୋଫାନ ଦାସ ନାମକ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ସଂକ୍ରାନ୍ତରେ ରୁଜୁ ଏକ ମାମଲାର ଶୁଣାଣି କରି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ମାମଲାର ଅନ୍ତ ଘଟାଇଛନ୍ତି।