ରାଜ୍ୟ କଂଗ୍ରେସ କାର୍ଯ୍ୟକାରିଣୀ: ବୈଠକରେ ମୋକିମ-ଚିରଞ୍ଜୀବ ନିଲମ୍ବନ ଝଡ଼

ଦଳୀୟ କନ୍ଦଳ ଭିତରେ ଶନିବାର ଦିନ ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ରାଜନୈତିକ ବ୍ୟାପାର, କାର୍ଯ୍ୟକାରିଣୀ ଓ ପଦାଧିକାରୀଙ୍କୁ ନେଇ ଦିନବ୍ୟାପୀ ମାରାଥନ ବୈଠକ ବସିଛି। ସମୁଦାୟ ୬ଟି ପ୍ରସ୍ତାବ ଗୃହୀତ ହୋଇଛି। ଏହାକୁ ଆଧାର କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବା ଉପରେ ନେତୃବୃନ୍ଦ ଗୁରୁତ୍ବ ଦେଇଛନ୍ତି।ତେବେ ବୈଠକରେ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କ ନିଲମ୍ବନକୁ ନେଇ ସରଗରମ ଆଲୋଚନା ହୋଇଥିଲା। ରାଜସ୍ଥାନରେ ଯେପରି ବିନା ନିଲମ୍ବନରେ ଗେହଲଟ-ପାଇଲଟଙ୍କ ବିବାଦର ସମାଧନ କରାଗଲା ଓଡ଼ିଶାରେ ଏଭଳି କାହିଁକି କରାଗଲାନି ବୋଲି ଏକାଧିକ ନେତା ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ବୈଠକରେ କଥା କଟାକଟି ହୋଇଥିଲା। ତେବେ ଦଳ ଭିତରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଭାରୀ ରୋକଠୋକ୍ ଶୁଣାଇଥିବା ସୂଚନା ମିଳିଛି। ମାତ୍ର ଏ ସଂପର୍କରେ ବାହାରେ କୌଣସି ନେତା ମୁହଁ ଖୋଲି ନାହାନ୍ତି। ସକାଳ ପ୍ରାୟ ୯ଟାରୁ ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି ବୈଠକ ଆରମ୍ଭ ହୋଇଥିଲା

ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ‌ଦଳ ନେତା ନରସିଂହ ମିଶ୍ରଙ୍କ ସମେତ କଂଗ୍ରେସ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ। ଦୁଇ ନେତାଙ୍କ ନିଲମ୍ବନ ପ୍ରସଙ୍ଗ ସହିତ ରାଜ୍ୟରେ ଦଳ କାହିଁକି ବାରମ୍ବାର ପରାଜୟର ଶିକାର ହେଉଛି ତାହା ଉପରେ ଆଲୋଚନା ହୋଇଥିଲା। ପରବର୍ତୀ ସମୟରେ କାର୍ଯ୍ୟକାରିଣୀ ଓ ସଂଧ୍ୟାରେ ପଦାଧିକାରୀଙ୍କ ବୈଠକ ବସିଥିଲା। ଦରଦାମ ବୃଦ୍ଧି, ବେକାରୀ, ଚିଟଫଣ୍ଡ, ପଛୁଆ ବର୍ଗ ପ୍ରତି ଅବହେଳା, ମହିଳାଙ୍କ ସୁରକ୍ଷା ଓ ଛାତ୍ର ସଂସଦ ନିର୍ବାଚନ ସଂକ୍ରାନ୍ତ ପ୍ରସ୍ତାବ ଗୃହୀତ ହୋଇଛି। ରତ୍ନ ଭଣ୍ଡାର ଖୋଲିବା ଓ ଶ୍ରୀମନ୍ଦିର ସମସ୍ତ ଦ୍ବାର ଖୋଲିବା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ବ୍ଲକ୍ ଓ ଜିଲ୍ଲାସ୍ତରରେ ବୈଠକ ବସିବା ସହିତ ବିଭିନ୍ନ ପ୍ରସଙ୍ଗରେ ଜୋରଦାର ଆନ୍ଦୋଳନ କରାଯିବ। ଅଗଷ୍ଟ ଶେଷରେ ସେବାଦଳର ମଧ୍ୟ ରାଜଧାନୀରେ ଏକ ବୈଠକ ଆୟୋଜିତ ହେବ। ଏହାସହ ଲକ୍ଷାଧିକ ଲୋକଙ୍କୁ ନେଇ ରାଜଧାନୀରେ ଏକ ବିଶାଳ ସମାବେଶ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗ‌ଦେବେ। ମାତ୍ର ଏହାର ତାରିଖ ଧାର୍ଯ୍ୟ ହୋଇ ନ ଥିବା କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ରାଜ୍ୟର ବିଜେଡି ସରକାର ଦୁର୍ନୀତିରେ ବୁଡ଼ି ରହିଛି। ରାଜ୍ୟବାସୀ ବିଜେଡିର କାର୍ଯ୍ୟକଳାପ ସଂପର୍କରେ ଅବଗତ ହେଲେଣି। ଆଗାମୀ ଦିନରେ ନିଶ୍ଚିତଭାବେ ରାଜ୍ୟବାସୀ କଂଗ୍ରେସକୁ ସମର୍ଥନ କରିବେ। ଦଳରେ କେହି ଅସନ୍ତୁଷ୍ଟ ନାହାନ୍ତି। ଯାହାବି ହୋଇଛି ତାହା କଂଗ୍ରେସର ପରିବାର କଥା। ରାଜ୍ୟରେ ଅଫିସର ରାଜ ଚାଲୁଥିବା ବେଳେ ଓଡ଼ିଶାରେ ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡ଼ିବ। ବିଦ୍ୟୁତ କ୍ଷେତ୍ରରେ ହଜାର ହଜାର କୋଟି ଆତ୍ମସାତ ହୋଇଥିବା ବେଳେ ଓଡ଼ିଆ ଲୋକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲୁ ନ ଥିବା ବେଳେ ମଣିପୁର ଘଟଣାରେ ବିଜେଡି କୌଣସି ପ୍ରତିକ୍ରିୟା ଦେଇନାହିଁ। ବୁଥସ୍ତରରେ କଂଗ୍ରେସକୁ ସୁଦୃଢ଼ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାର କହିଥିଲେ, ଓଡ଼ିଶାରେ ଗଣତନ୍ତ୍ରକୁ ଉପହାସ କରାଯାଉଛି। ଜଣେ ୟୁନିଅର ଆଇଏଏସ୍‌ ଅଫିସର ଅଗାଣତାନ୍ତ୍ରିକ ଉପାୟରେ କାର୍ଯ୍ୟକଳାପ ଚଳାଇଛନ୍ତି। କଂଗ୍ରେସ ଦଳ ଏହାକୁ ଦୃଢ଼ ଭାବେ ନିନ୍ଦା କରୁଛି। ଗାନ୍ଧୀଙ୍କ ତିନି ମାଙ୍କଡ଼ ଓ ରାଜ୍ୟ ଶାସନ ସଂପର୍କରେ ମୁହଁ ଖୋଲିବାକୁ ବିଜେଡିର ସମସ୍ତ ବିଧାୟକମାନଙ୍କୁ ଏ ସଂପର୍କିତ ଫଟୋ ପଠାଯିବ। ମୁଖ୍ୟମନ୍ତ୍ରୀ ଜଣକ ଦ୍ବାରା ଗୃହବନ୍ଦୀ ହୋଇ ରହିଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ବିଧାନସଭାରେ ସୁପର ସିଏମ୍‌ ଅଭିଭାଷଣ ରଖିପାରନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଦେଶର ଗୃହ ମନ୍ତ୍ରୀ କ’ଣ କରୁଛନ୍ତି। ସେ ମଧ୍ୟ ସେତିକି ଦୋଷୀ। ଦିଲ୍ଲୀ ସରକାରଙ୍କ କ୍ଷମତା ନେବାକୁ ଚେଷ୍ଟା ହେଉଥିବା ବେଳେ ଓଡ଼ିଶାର ଆଇଏଏସ୍‌ ଅଧିକାରୀଙ୍କ କ୍ଷେତ୍ରରେ ଚୁପ୍ କାହିଁକି ବୋଲି ଶ୍ରୀ ଚେଲାକୁମାର ପ୍ରଶ୍ନ କରିଛନ୍ତି।

ବୈଠକରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ରାଉତ, ବିଜୟ ପଟ୍ଟନାୟକ, ସୁଶୀଳା ତିରିଆ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ଏସ୍‌.ରାଜ୍ଜନ ଏକ୍କା, ସୁରେଶ ରାଉତରାୟ, ଦାଶରଥି ଗମାଙ୍ଗୋ, ଅଧିରାଜ ପାଣିଗ୍ରାହୀ, ସପ୍ତଗିରି ଉଲ୍ଲାକା, ରାମଚନ୍ଦ୍ର ଖୁଣ୍ଟିଆ, ସୁରେନ୍ଦ୍ର ସିଂହ ଭୋଇ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀ, ବିଜୟଲକ୍ଷ୍ମୀ ସାହୁ, ସୁରେଶ ମହାପାତ୍ର, ମାନସ ଚୌଧୁରୀ, ବିଶ୍ବଜିତ ଦାଶ, ବନ୍ଦିତା ପରିଡ଼ା, ଆର୍ଯ୍ୟ ଜ୍ଞାନେନ୍ଦ୍ର, ୟାସିର ନୱାଜ, ଭୁଜବଳ ମାଝୀ, ମିନାକ୍ଷୀ ବାହିନୀପତି ଓ ଗଣେଶ୍ବର ବେହେରାଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।