ରାଜ୍ୟରେ ସିବିଆଇ ରେଡ

ଭୁବନେଶ୍ୱର: ଯାହା କୁହାଯାଉଥିଲା ଶେଷରେ ତାହା ହେଲା । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସିବିଆଇ ଓଡ଼ିଶା ଭିତରକୁ ଧସେଇ ପଶିଛି । ଆଉ ଦୁର୍ନୀତିର ଖୋଳତାଡ଼ ଆରମ୍ଭ କରିଛି । ଆଜି ସାରା ରାଜ୍ୟରେ ସିବିଆଇ ପକ୍ଷରୁ ଏକ ବଡ଼ ଧରଣର ରେଡ କରାଯାଇଛି । ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ପ୍ରମାଣପତ୍ର ଜାଲ ନେଇ ଏହି ଚଢଉ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୬୭ସ୍ଥାନରେ ସିବିଆଇ ପକ୍ଷରୁ ରେଡ କରାଯାଇଛି ।  କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରେ ସିବିଆଇ ରେଡ କରାଯାଇଛି । ଏହି ରେଡରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଜଣ ଅଫିସର ସାମିଲ ହୋଇଛନ୍ତି ।  ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ପ୍ରମାଣପତ୍ର ଜାଲ ନେଇ ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୩ ଜଣ ଜାଲ ପ୍ରମାଣପତ୍ର ଦେଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗ ଆଧାରରେ ଆଜି ସିବିଆଇ ପକ୍ଷରୁ ଏହି ଚଢଉ କରାଯାଇଛି ।  ତେବେ ଆଜିର ଚଢଉକୁ ଟ୍ରେଲର କୁହାଯାଉଥିବାବେଳେ ଆଗକୁ ପୂରା ସିନେମା ଆସିବ କୁହାଯାଉଛି । କାରଣ ଓଡ଼ିଶାରେ ହୋଇଥିବା ବିଭିନ୍ନ ଦୁର୍ନୀତିର ତଦନ୍ତ ସିବିଆଇ ଓ ଇଡି ଦ୍ୱାରା କରାଯିବ ବୋଲି ଚର୍ଚ୍ଚା ହେଉଛି । କାରଣ ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ସମୟରେ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦ ଦୁର୍ନୀତିଖୋରଙ୍କୁ ଜେଲରେ ପୂରାଇବାକୁ ଚେତବାନୀ ଦେଇଥିଲେ ।