ସମ୍ବଲପୁରରେ ଅନ୍ତଃନଦୀ ଜଳାଶୟ ପାଇଁ ୪୪୦ କୋଟି ଟଙ୍କା ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ

ସମ୍ବଲପୁରରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ ହେବା ସହ ଯୋଗାଯୋଗ ଓ ପର୍ଯ୍ୟଟନ ସୁଦୃଢ଼ ହେବ – ଧର୍ମେନ୍ଦ୍ର ପ୍ରଧାନ

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଲେ
• ଏହା ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ହେବ, ଚାଷୀ, ପଶୁପାଳକ ଓ ମତ୍ସ୍ୟଜୀବୀ ହେବେ ଉପକୃତ
• ଆଗାମୀ ଦିନରେ ମା’ ସମଲେଶ୍ୱରୀ ମନ୍ଦିର ନିକଟରେ ବିକଶିତ ହେବ ସୁନ୍ଦର ଆଳତି ଘାଟ
• ସମ୍ବଲପୁରର ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ହେବ ଅଧିକ ସମୃଦ୍ଧ

ଭୁବନେଶ୍ୱର/ସମ୍ବଲପୁର: ସମ୍ବଲପୁର ଅଯୋଧ୍ୟାସାଗର ଓ୍ୱେୟାର ନିକଟରେ ମହାନଦୀ ଶଯ୍ୟାରେ ଏକ ନୂତନ ଅନ୍ତ ନଦୀ ଜଳାଶୟ (ISS) ବ୍ରିଜ୍-କମ୍-ବ୍ୟାରେଜ୍ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାୟ ୪୪୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ମେଗା ପ୍ରକଳ୍ପ ସମ୍ବଲପୁରର ବିକାଶ ଗତିକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ସେ ‘ଏକ୍ସ’ରେ ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ଯୁଗାନ୍ତକାରୀ ପଦକ୍ଷେପ ସମ୍ବଲପୁର ସମେତ ଏହାର ପାର୍ଶ୍ୱବର୍ତ୍ତୀ ସମଗ୍ର ଅଞ୍ଚଳରେ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥାକୁ ବେଶ୍ ସୁଦୃଢ଼ କରିବ । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ ହେବା ସହିତ ଭୂତଳ ଜଳସ୍ତର ବୃଦ୍ଧି କରିବାରେ ଏହି ପ୍ରକଳ୍ପ ବେଶ୍ ସହାୟକ ହେବ । କେବଳ ସେତିକି ନୁହେଁ, ଜଳସେଚନର ସୁବିଧା ହେବା ଦ୍ୱାରା ସ୍ଥାନୀୟ କୃଷି, ପଶୁପାଳନ ଓ ମତ୍ସ୍ୟ ଚାଷ ସମେତ ଆନୁଷଙ୍ଗିକ ଜୀବିକା ଅଧିକ ସୁଦୃଢ଼ ହେବ ଏବଂ ଅଞ୍ଚଳର ଅର୍ଥନୈତିକ ସମୃଦ୍ଧି ଆଣିବ । ଏହି ପ୍ରକଳ୍ପ କେବଳ ଭିତ୍ତିଭୂମିର ବିକାଶ କରିବ ନାହିଁ, ବରଂ ସମ୍ବଲପୁରର ଐତିହ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ଦେବ। ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପ୍ରକଳ୍ପଟି ନୌଚାଳନା ଭଳି ପର୍ଯ୍ୟଟନ କାର୍ଯ୍ୟକଳାପକୁ ବ୍ୟାପକ ପ୍ରୋତ୍ସାହନ ଦେବ। ଏହାସହିତ ଅଞ୍ଚଳର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ମନ୍ଦିର ନିକଟରେ ଏକ ସୁନ୍ଦର ‘ଆଳତି ଘାଟ’ ଭାବେ ଏହାକୁ ବିକଶିତ କରାଯିବ। ଯାହା ଆଗାମୀ ଦିନରେ ସମ୍ବଲପୁରର ଧାର୍ମିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶକୁ ଅଧିକ ରୁଦ୍ଧିମନ୍ତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସମ୍ବଲପୁରବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଥିବାରୁ ସେ ଦ୍ୱିଗୁଣିତ ଇଞ୍ଜିନ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।