୫ ଓ ୬ରେ କଟକରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ: ଫୋକସ୍‌ରେ ପଞ୍ଚାୟତ, ପୌର ନିର୍ବାଚନ

ଭୁବନେଶ୍ବର: ଆସନ୍ତା ୫ ଓ ୬ ତାରିଖରେ କଟକ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ରାଜ୍ୟ ବିଜେପିର ଦୁଇ ଦିନିଆ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ସହ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ଏହି ବୈଠକରେ ବ୍ୟାପକ ମାନସ ମନ୍ଥନ କରାଯିବ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଦୁଇ ଦିନିଆ ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ସମେତ କେନ୍ଦ୍ରୀୟ ନେତାମାନେ ମଧ୍ୟ ଭାଗ ନେବେ। ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଉଭୟ ଦିନ ଉପସ୍ଥିତ ରହିବାକୁ ଥିବା ବେଳେ ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍. ସନ୍ତୋଷ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସଭାପତି ମନମୋହନ ସାମଲଙ୍କ ସୂଚନାନୁସାରେ, ବୈଠକରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ସାଂଗଠନିକ କାର୍ଯ୍ୟାବଳୀ ଉପରେ ବିସ୍ତୃତ ଆଲୋଚନା ହେବ। ବିଶେଷ କରି ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ କେନ୍ଦ୍ରୀୟ ନିର୍ଦ୍ଦେଶରେ ଚାଲିବାକୁ ଥିବା ‘ସେବା ସଂକଳ୍ପ ଅଭିଯାନ’ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ କେତେଦୂର ପହଞ୍ଚିଛି, ତାହାର ସମୀକ୍ଷା କରାଯିବା ସହ ସେଗୁଡ଼ିକୁ ଆହୁରି ପ୍ରଭାବଶାଳୀ ଭାବେ ପହଞ୍ଚାଇବାକୁ ନୂଆ ଯୋଜନା ପ୍ରସ୍ତୁତ ହେବ।