ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡୁର ଛକ ନିକଟରେ ଲିଫ୍ଟ ନଦେବାରୁ ଗାଡି ଚାଳକଙ୍କ ଗଳା କାଟିଦେଲା ଯୁବକ। ଆହାତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ହିଞ୍ଜିଳି ପୋଲିସ ଘଟଣାର ତଦନ୍ତ କରୁଛି । ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଜଣେ ଯୁବକ ଗାଡ଼ି ଚାଳକଙ୍କୁ ଲିଫ୍ଟ ମାଗିଥିଲେ । ତେବେ କୌଣସି କାରଣରୁ ଗାଡ଼ି ଚାଳକ ତାଙ୍କୁ ଲିଫ୍ଟ ଦେବାକୁ ମନା କରିବାରୁ ଯୁବକ ଜଣକ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ। ପରେ ହଠାତ୍ ଛୁରିରେ ଗାଡ଼ି ଚାଳକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଗାଡ଼ି ଚାଳକଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ, ଘଟଣାକୁ ନେଇ ହିଞ୍ଜିଳିକାଟୁ ପୋଲିସ ଛାନଭିନ୍ ଆରମ୍ଭ କରିଛି ।